ରାଜ୍ୟପାଳଙ୍କ ଦ୍ୱାରା ଡଃ .ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚିତ

ଫୁଲବାଣୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ‘ଭାରତର ଅମୃତ କୁମ୍ଭମେଳା’ ଓ ‘ତତ୍ତ୍ୱବୋଧ, ଆତ୍ମବୋଧ ଓ ବାହ୍ୟବୋଧ’ ନାମକ ଦୁଇଟି ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ମାଷ୍ଟରପଡ଼ା ସାହିର ଡଃ . ନୃସିଂହାନନ୍ଦ ମହାପାତ୍ର ଏହି ପୁସ୍ତକ ଦୁଇଟିର ଲେଖକ ଅଟନ୍ତି । କମଳା ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ଏହି ଦୁଇଟି ପୁସ୍ତକକୁ ସୋମବାର ରାଜଭବନଠାରେ ଲେଖକ ଡଃ . ମହାପାତ୍ର ରାଜ୍ୟପାଳ ପ୍ରଫେସର ଲାଲଙ୍କ କରକମଳରେ ଉନ୍ମୋଚିତ କରିବା ସହିତ କବିତା, ଗଳ୍ପ ଏବଂ ସନାତନ ସଂସ୍କୃତିର ବେଦ ବେଦାନ୍ତ, ଉପନିଷଦ ଓ ବୈଦିକ ଆଚାର୍ଯ୍ୟଗଣ ମାନଙ୍କ ଜୀବନୀ ସମ୍ପର୍କିତ ୨୫ଖଣ୍ଡ ପୁସ୍ତକ ମଧ୍ୟ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଡଃ . ନୃସିଂହାନନ୍ଦ ମହାପାତ୍ରଙ୍କ ଦ୍ୱାରା ଲିଖତ ପୁସ୍ତକଗୁଡ଼ିକ ଦେଖି ରାଜ୍ୟପାଳ ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏହି ପୁସ୍ତକଗୁଡ଼ିକ ଓଡ଼ିଆ ସାହିତ୍ୟ ବାଣୀଭଣ୍ଡାରକୁ ସୁସମୃଦ୍ଧ କରିବ ବୋଲି କହିଥିଲେ । ଏତଦଭିନ୍ନ ବୈଦିକ ସଂସ୍କୃତିର ଏକ ନୂତନ ଜାଗରଣ ଭବିଷ୍ୟତ ଯୁବପିଢ଼ିଙ୍କୁ ଜ୍ଞାନର ସତମାର୍ଗରେ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ପ୍ରକଟ କରିଥିଲେ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲଙ୍କୁ କମଳା ପ୍ରକାଶନୀ ସଂସ୍ଥା ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପୁସ୍ତକ ଉନ୍ମୋଚନ ସମୟରେ ରାଜ୍ୟପାଳଙ୍କ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, କମଳା ପ୍ରକାଶନୀର ସଭାପତି ରାମକୃଷ୍ଣ ବେହେରା, ଉପଦେଷ୍ଟା ପ୍ରମୋଦ କୁମାର ମହାପାତ୍ର ଓ କୋଷାଧ୍ୟକ୍ଷା ଜୟଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ବିଭିନ୍ନ ମହଲରୁ ଶ୍ରୀ ମହାପାତ୍ରଙ୍କୁ ଶୁଭେଚ୍‌ଛାର ସୁଅ ଛୁଟିଛି ।

Comments (0)
Add Comment