ମନମୁଣ୍ଡା ଏସବିଆଇ ଶାଖା ଉଦଘାଟିତ ଓ ବୃହତ୍ ବୁଣାକାର ଋଣ ମେଳା

ମନମୁଣ୍ଡା : ମନମୁଣ୍ଡା ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ( ଏସବିଆଇ ) ଶାଖା କାର୍ଯ୍ୟାଳୟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି । ଏସବିଆଇ ଚିଫ୍ ଜେନେରାଲ ମ୍ୟାନେଜର (ଭୁବନେଶ୍ୱର) ଦିନେଶ ପୃଥି ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ଏସବିଆଇର ଡିଜିଏମ (ବ୍ରହ୍ମପୁର ) ସୋନ୍ଦିପ କୁମାର ଚୌବେ, ଆର ଏମ, (ଫୁଲବାଣୀ)ପ୍ରକାଶ ଚନ୍ଦ୍ର ଗ୍ରହଚାର୍ଯ, ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ବୌଦ୍ଧ ସାମ୍ବାଦିକ ସଂଘ ଉପ ସଭାପତି ବୈଦ୍ୟନାଥ ହୋତା, ଉଦ୍ୟୋଗପତି ଆଶିଷ କୁମାର ସାହୁ, ଶିଳ୍ପପତି ଶଙ୍କର ମେହେର, ଏସସିଏସ, ମନମୁଣ୍ଡା ସମ୍ପାଦକ ମୃତ୍ୟୁଞ୍ଜୟ ହୋତା ପ୍ରମୁଖ ଯୋଗ ଦେଇଥିଲେ । ଏହାପରେ ଏସ ବି ଆଇ ରିଜିଓନାଲ ବିଜିନେସ ଅଫିସ , ଫୁଲବାଣୀ ସଂଗଠନରେ ମନମୁଣ୍ଡା ଶାଖା ତରଫରୁ ବାସୁଦେବପାଲି (ମନମୁଣ୍ଡା)” କାର୍ତ୍ତିକ ମଇଦାନରେ ଏକ ବୃହତ୍ ବୁଣାକାର ଋଣ ମେଳା ଅନୁଷ୍ଠିତ ହୋଇଥିଲା । ମନମୁଣ୍ଡା ଶାଖା ପରିଚାଳକ ବାଲଗୋପାଳ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଧ୍ୟ ସିଜିଏମ ଦିନେଶ ପୃଥୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲାବେଳେ ବୟନିକା ସଭାପତି ପ୍ରକାଶ ମେହେର, ଆର ଏମ ପ୍ରକାଶ ଗ୍ରହାଚାର୍ଯ୍ୟ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ହୋଇଥିଲେ ।

ହନ୍ତତନ୍ତ ର ଗରିମା ବଜାୟ ରଖିବା ପାଇଁ ବୁଣାକାର ମାନଙ୍କ ବ୍ୟବସାୟ ବୃଦ୍ଧି, ଉନ୍ନତି , ଆର୍ଥିକ ବିକାଶ ସକାଶେ ତଥା ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏସବିଆଇ ତରଫରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ୧୦୦ ଜଣ ବୁଣାକାରଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କା ଋଣ ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା । ଉନ୍ନତ ମାନ, ନୂଆଁ ଆକର୍ଷଣୀୟ ଡିଜାଇନ୍‌ର ଲୁଗା ବୁଣି ବ୍ୟବସାୟ ବୃଦ୍ଧି କରିବାକୁ ମୁଖ୍ୟ ଅତିଥି ବୁଣାକାରମାନଙ୍କୁ ଉଦବୋଧନ ଦେଇଥିଲେ । ବ୍ୟବସାୟ ଭଲ କଲେ ଏସବିଆଇ ସେମାନଙ୍କୁ ଭବିଷ୍ୟତରେ ଆହୁରି ଅଧିକ ସହଯୋଗର ହାତ ବଢ଼ାଇବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ବୟନିକା ସଭାପତି ପ୍ରକାଶ ମେହେର ବୁଣାକାର ମାନଙ୍କୁ ଏସବିଆଇର ଏହି ସହାୟତା ପାଇଁ ଧନ୍ୟବାଦ୍ ଜଣାଇବା ସହ ବୁଣାକାରମାନଙ୍କ ବ୍ୟବସାୟ ବୃଦ୍ଧିରେ ବୟନିକା ଆହୁରି ଅଧିକ ତତ୍ପରତା ଦେଖାଇ ସାହାଯ୍ୟ,ସହଯୋଗ କରିବ ବୋଲି କହିଥିଲେ । ବୟନିକା କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ଦିଗ୍‌ଦର୍ଶନକ୍ରମେ ବୟନିକା ସଭାପତି ଶ୍ରୀ ମେହେର ସିଜିଏମ ଶ୍ରୀ ପୃଥୀଙ୍କୁ ଶ୍ରୀଜଗନ୍ନାଥ ଙ୍କ ହସ୍ତତନ୍ତ କାରୁକାର୍ଯ୍ୟ ଫଟୋ , ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଆରଏମ ଶ୍ରୀ ଗ୍ରହାଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏଇ ଅବସରରେ ମେଳାରେ ଖୋଲାଯାଇଥିବା ହସ୍ତତନ୍ତ ଶାଢୀ, କପଡା, ବାଉଁଶ କାରିଗରୀ, ମାଟି କାରିଗରୀ ନିର୍ମିତ ଜିନିଷ, ବଡି, ପାପଡ଼ , ହଳଦୀ ଇତ୍ୟାଦି ୩୦ଟି ଷ୍ଟଲକୁ ସମସ୍ତ ଅତିଥିଗଣ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧ ହଜାର ଲୋକଙ୍କ ସମାଗମ ହୋଇଥିଲା ।

Comments (0)
Add Comment