ପୁରୀ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ିଶାଗଦା ଥାନା ଅନ୍ତର୍ଗତ ଦୟାନଦୀର ନୂଆଗାଁ ସେତୁ ନିକଟରୁ ଅଖା ଭିତରେ ହାତ ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଏସପି, ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେହିପରି ବିଭିନ୍ନ ଥାନା ସହିତ ନିଖୋଜ ସମ୍ପର୍କିତ ମାମଲା ନେଇ ଯୋଗାଯୋଗ କରାଯାଇଛି । ଘଟଣାକୁ ନେଇ ଗଡ଼ିଶାଗଦା ଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଖୁବଶୀଘ୍ର ମୃତକଙ୍କ ପରିଚୟ ମିଳିଯିବ ବୋଲି ଆଶା ରଖାଯାଇଥିବା ଏସପି କହିଛନ୍ତି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ହତ୍ୟା ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଥିବାରୁ ପୋଲିସ ୩୦୨, ୨୦୧ ରେ ହତ୍ୟା ମାମଲା ମଧ୍ୟ ରୁଜୁ କରି ତଦନ୍ତ ଚଳାଇଛି । ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ସ୍ଥାନୀୟ ଲୋକେ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ଜରି ଅଖା ଦେଖିଥିଲେ । ଅଖା ଭିତରୁ ଦୁର୍ଗନ୍ଧ ବାହାରିବା ପରେ ଲୋକେ ସନ୍ଦେହ କରି ପୁଲିସ୍କୁ ଜଣାଇ ଥିଲେ । ଗଡ଼ିଶାଗଦା ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଅଖା ଜବତ କରି ଉପରକୁ ଆଣି ଖୋଲିବା ପରେ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଯୁବତୀଙ୍କ ବୟସ ୩୦ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି । ସେ ଏକ ୱାନ୍ ଥାର୍ଡ ପ୍ୟାଣ୍ଟ ସହ ଅନ୍ତବସ୍ତ୍ର ପିନ୍ଧିଥିଲେ ଓ ଓଢ଼ଣୀ ପକାଇଥିଲେ । ଯୁବତୀଙ୍କୁ ଏକ ବେଡ଼ସିଟ୍ରେ ଗୁଡ଼ାଇ କରି ଅଖାରେ ଭର୍ତ୍ତି କରାଯାଇଥିଲା । ହାତକୁ ପ୍ଲାଷ୍ଟିକ୍ ରଶିରେ ବନ୍ଧା ଯାଇଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବତୀଙ୍କୁ କିଭଳି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସପି ।