ଭୁବନେଶ୍ୱର:ରାଜ୍ୟରେ ଜମିଜମା ବିକ୍ରୟ କ୍ଷେତ୍ରରେ ଥିବା ଆଇନଗତ ପ୍ରତିବନ୍ଧକ ଯୋଗୁଁ ଲୋକମାନେ ଜମି ବିକ୍ରି ନକରି ପାରି ହଇରାଣହରକତ ହେଉଥିଲେ । ଏହି ବିକ୍ରୟ ବ୍ୟବସ୍ଥର ସରଳୀକରଣ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ, ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରେରା କର୍ତ୍ତୃପକ୍ଷଙ୍କ ସହ ସମସ୍ତ ସଂପୃକ୍ତ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ରାଜସ୍ୱ ମନ୍ତ୍ରୀଙ୍କ ବିଧାନସଭା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।
ଜମି ପଞ୍ଜିକରଣ କ୍ଷେତ୍ରରେ ପ୍ରତିବନ୍ଧକ ଥିବା ସମୟରେ କେତେଜଣଙ୍କର ଆଶିଂକ ପଞ୍ଜିକରଣ ହୋଇଛି ଓ କେତେଜଣଙ୍କର ହୋଇପାରିନାହିଁ ସେ ସଂପର୍କରେ ବିସ୍ତୃତ ରିପୋର୍ଟ ମଗାଯାଇଛି ।
ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ରେରା ଆଇନ, ଉନ୍ନୟନ ଆଇନ, ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ଆଇନର ତର୍ଜମା କରି ଆବଶ୍ୟକ ହେଉଥିବା ସଂଶୋଧନ କରିବା ସହ ୭ ଦିନ ମଧ୍ୟରେ ଏ ସଂପର୍କରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ଉଭୟ ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।