ବୌଦ୍ଧ : କୁରୁମପଦର ଧାନକ୍ରୟ କେନ୍ଦ୍ର ମଣ୍ଡିର ଉଚ୍ଛେଦ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ବ୍ଲକ କସୁରବନ୍ଧ ଓ ଦହ୍ୟା ପଂଚାୟତର ଶତାଧିକ ଚାଷୀମାନେ ଆଜି ଚାଷୀନେତା ଶିବଶଙ୍କର କର୍ଣ୍ଣଙ୍କ ନେତୃତ୍ୱରେ ବୌଦ୍ଧ କୋର୍ଟ ଛକଠାରୁ ଶତାଧିକ ଚାଷୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାରାବାଜି କରି ବୌଦ୍ଧ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ କୁରୁମପଦର ମଣ୍ଡିରେ ଚାଷୀ ମାନଙ୍କର ସୁବିଧା ଦୃଷ୍ଟିରୁ ସରକାର ଗତ ୨୦୧୭ – ୧୮ ମସିହାରେ କୁରୁମପଦର ମୌଜାରେ ଧାନକ୍ରୟ କେନ୍ଦ୍ର (ମଣ୍ଡି) ଖୋଲା ଯାଇଥିଲା । କୁରୁମପଦର ମଣ୍ଡିରେ ଚାଷୀମାନେ ଦୀର୍ଘ ୫ ବର୍ଷ ହେଲା ବର୍ଷକୁ ଅମଳ କରୁଥିବା ଖରିଫ ଓ ରବି ଋତୁ ଧାନକୁ ଠିକ ସମୟରେ ସୁବିଧାରେ ବିକ୍ରି ହେଉଥିବା ବେଳେ ମଣ୍ଡିସ୍ଥାନଟି ପଥର ଚଟାଣ ଓ କଂକ୍ରିଟ ହୋଇଥିବାରୁ ଧାନ ରଖିବା ପାଇଁ ଉପଯୁକ୍ତ ସ୍ଥାନ ରହିଛି । ଏହି ସ୍ଥାନଟି ଜାତୀୟ ରାଜପଥ (ଏନ୍ଏଚ-୫୭ ) ପାଖରେ ହୋଇଥିବାରୁ ପରିବହନ ପାଇ ମଧ୍ୟ ସୁବିଧା ହୋଇଥାଏ । କିଛି ଦିନ ହେଲା ଉଦ୍ଦେଶ୍ୟମୂଳକ ଭାବେ ଏହି କୁରୁମପଦର ମଣ୍ଡିରେ ଚାଷୀ ପଞ୍ଜୀକରଣ ନକରି ମଣ୍ଡିକୁ ଅସ୍ଥାୟୀ ଭାବେ କସୁରବନ୍ଧ ନିକଟରେ କରିବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । କୁରୁମପଦର ମଣ୍ଡିକୁ ବନ୍ଦ କରାଗଲେ ହଜାର ହଜାର ଚାଷୀ ଅମଳ କରିଥିବା ଧାନକୁ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେବାସହ ବହୁତ କ୍ଷତି ସହିବାକୁ ପଡିବ । ସରକାର ଚାଷୀ ମାନଙ୍କର ସୁବିଧା ପାଇ ବିଭିନ୍ନ ଯୋଜନା କରୁଥିବା ବେଳେ ୫ ବର୍ଷ ହେଲା ଚାଲୁଥିବା ମଣ୍ଡିକୁ ବନ୍ଦ କରୁଛନ୍ତି । ଏଣୁ କୁରୁମପଦର ଧାନ କ୍ରୟ କେନ୍ଦ୍ରକୁ ଚାଲୁ କରି ଚାଷୀ ପଞ୍ଜୀକରଣ ନିମନ୍ତେ ଅନୁମତି ପ୍ରଦାନ କରିବାକୁ ଦାବିକରିଛନ୍ତି ଚାଷୀମାନେ ।ଏହା ଆଗାମୀ ତିନି ଦିନ ମଧ୍ୟରେ ନିଷ୍ପତ୍ତି ନେଇ ତୁରନ୍ତ ପଦକ୍ଷେପ ନ ନିଅନ୍ତି ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ମାନେ ।