ସମ୍ବଲପୁର:ବୈଷୟିକ ଜ୍ଞାନ କୌଶଳର ଏହି ଯୁଗରେ ତାଳରେ ତାଳ ଦେଇ ଆଗେଇବା ପାଇଁ ସମ୍ବଲପୁରରେ ଡ୍ରୋନ ନିର୍ମାଣ କାର୍ଯ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ସଂକ୍ରାନ୍ତରେ ସ୍ଥାନୀୟ ଜଣେ ଯୁବ ଉଦ୍ୟମୀ ସିଦ୍ଧାର୍ଥ ସାହା ତାଙ୍କର ପ୍ରୟାସ ଜାରି ରଖିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏବିଷୟରେ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରାପ୍ତ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଏଠାରେ ଡ୍ରୋନକୁ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଯ୍ୟାରମ୍ଭ କରାଯିବ । କୃଷି ପ୍ରଧାନ ଏହି ଅଞ୍ଚଳରେ ଉର୍ବରକ ଓ କୀଟନାଶକ ସିଞ୍ଚନ ପାଇଁ ଭଡା ସୂତ୍ରରେ ଡ୍ରୋନ ଉପଲବ୍ଧ ରହିବ । ଏଥିପାଇଁ ସ୍ଥାନୀୟ କିଛି ଯୁବ ଉଦ୍ୟମୀଙ୍କୁ ପ୍ରଶିକ୍ଷିତ କରିବା ସହିତ ସେମାନଙ୍କୁ ଏପରି ଡ୍ରୋନର ବ୍ୟବହାରକୁ ଲୋକପ୍ରିୟ କରିବା ପାଇଁ ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ସେମାନଙ୍କୁ ଆବଶ୍ୟ ଜ୍ଞାନ କୌଶଳ ଯୋଗାଇ ଦିଆଯିବ । ଏହି ପରିଯୋଜନାରେ ଡ୍ରୋନ ଏଠାରେ ଯଥେଷ୍ଟ ଲୋକପ୍ରିୟତା ହାସଲ କଲାପରେ ସ୍ଥାନୀୟ ଚାହିଦା ଅନୁଯାୟୀ ପ୍ରଥମେ ଯନ୍ତ୍ରାଂଶ ଆଣି ଏସେମ୍ବଲୀ ଓ ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ମାଣ କରାଯିବା ପାଇଁ ମହତ୍ତ୍ୱାକାଂକ୍ଷୀ ଯୋଜନା କରାଯାଉଛି । ଏଥିପାଇଁ ଡ୍ରୋନ ସେବା କ୍ଷେତ୍ରରେ କାର୍ଯ୍ୟରତ ଗୁଜରାଟର ଏକ କମ୍ପାନୀ ସହିତ ଚୁକ୍ତି ହୋଇଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ ହାତକୁ ନେବାପାଇଁ ମଧ୍ୟ ଜ୍ଞାନ କୌଶଳ ଯୋଗାଇ ଦେବାକୁ ସମ୍ପର୍କିତ ବ୍ୟକ୍ତି ବିଶେଷଙ୍କ ସହିତ ଯୋଗାଯୋଗ କରାଯାଇଛି ।