ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବଢିଗାଁରେ ରାସ୍ତାରୋକ

ଜହ୍ନାପଙ୍କ,୨୫/୫:ବୌଦ୍ଧ ବ୍ଳକ ବଢିଗାଁରେ ଦୀର୍ଘ ୧୦ ଦିନ ହେଲା ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଆଜି ବୁଟୁପାଲି-ବଘିଅପଡା ପୂର୍ତ୍ତ ବିଭାଗ ରାସ୍ତାର ବଢିଗାଁ ଛକଠାରେ ଗ୍ରାମବାସୀ ସକାଳ ସାଢେ ଆଠଟାରୁ ସାଢେ ୧୧ ଟା ପର୍ଯ୍ୟନ୍ତ ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଫଳରେ ଉଭୟ ପାର୍ଶ୍ୱରେ ଯାନ ବାହାନ ଅଟକି ରହିଥିଲା । ସୂଚନାମତେ ଗତ ୧୦ ଦିନ ହେଲା ବଢିଗାଁରେ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ ୩ ଦିନ ହେଲା ଦିନକୁ ୨/୩ ଘଣ୍ଟା ବିଦ୍ୟୁତ ରହୁଥିଲା । ମଙ୍ଗଳବାର ଏନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଗ୍ରାମବାସୀ ବାରମ୍ବାର ଫୋନ କରିଥିଲେ ମଧ୍ୟ ଫୋନ ନଉଠାଇବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ଆଜି ରାସ୍ତା ଅବରୋଧ କରିଥିଲେ । କିଛି ସମୟ ପରେ ଦୁଇ ଜଣ ବିଦ୍ୟୁତ କର୍ମଚାରୀ ବିଦ୍ୟୁତ ମରାମତି ପାଇଁ ଗାଁରେ ପହଞ୍ଚିବାରୁ ତାଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ବିଦ୍ୟୁତ କର୍ମଚାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ କରିବାରୁ ମଧ୍ୟ ଫୋନ ନଉଠାଇ ବାରୁ ଉତ୍ତେଜନା ବଢି ଯାଇଥିଲା । ଘଟଣା ସ୍ଥଳରେ ବୌଦ୍ଧ ପୁଲିସ ପହଁଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାମଣା କରି ଦୃଢ ପ୍ରତିଶ୍ରୁତି ଦେବାରୁ ଦିନ ୧୧.୩୦ ରେ ରାସ୍ତା ଅବରୋଧ ହଟିଥିଲା । ଏହାପରେ ଗାଡି ମୋଟର ସ୍ୱାଭାବିକ ହୋଇଥିଲା । ରାସ୍ତା ଅବରୋଧ ଯୋଗୁଁ ଖରାରେ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆଗକୁ ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Comments (0)
Add Comment