ପାରଳାଖେମଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖରାଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ୍ କୁମାର ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ଖରାଡ଼, କିଡିଗାମ୍, ହାଡ଼ଭାଙ୍ଗି ଓ କେ.ସୀତାପୁର ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୬୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୩୨ ଗୋଟି, ଗ୍ରାମ ଭିତ୍ତିକ ସମସ୍ୟା- ୩୩ ଓ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି । କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ପି.ରାମ ରାଓଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା, ସେଥି ମଧ୍ୟରୁ ୩୬ ଜଣ ହିତଧିକାରୀଙ୍କୁ ଜଙ୍ଗଳ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଆଜିର ମିଳିତ ଜନ ଅଭିଯୋଗ ଶୁଣାଣିରେ ଆବେଦନର ତୁରନ୍ତ ଫଇସଲା କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଏବଂ ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ସମୟରେ କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା, ସ୍ଥାନୀୟ ସରପଞ୍ଚ ଅଖିଳ ପାତ୍ର, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କପିଳେଶ୍ୱର ତାଣ୍ଡି, ତହସିଲଦାର ଆଶିଷ ପ୍ରଧାନ,ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ ।