ଜହ୍ନାପଙ୍କ,୯/୧୨: ବୌଦ୍ଧ ବ୍ଲକ୍ ଜହ୍ନାପଙ୍କ ଠାରେ ଥିବା ଗନ୍ଧରାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଲକ୍ଷ୍ମୀ ପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗର ଓ ତେଲିବନ୍ଧ ଗ୍ରାମ ପଞ୍ଚାୟତର ଚନ୍ଦ୍ରପୁର ଗ୍ରାମରେ ପରିମଳ ଓ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସାମାଜିକ କାର୍ଯ୍ୟ ଅଧିକାରୀ ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆନଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରୀଙ୍କ ଏକ ଶୋଭାଯାତ୍ରା ବାହାରି ଜହ୍ନାପଙ୍କ ଗ୍ରାମ ଦେଇ ନାରାୟଣନଗର ଗ୍ରାମରେ ପହଂଚି ଥିଲା । ସେଠାରେ ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ପରେ ଚନ୍ଦ୍ରପୁର ଗ୍ରାମରେ ମଧ୍ୟ ଅନ୍ୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଥିଲା । ତେଲିବନ୍ଧ ସରପଞ୍ଚ ରତ୍ନାକର ନାଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସ୍ୱଚ୍ଛତା ଓ ହାତ ଧୁଆ ଉପରେ ଲୋକଙ୍କୁ ସଚେତନତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଧ୍ରୁବଚରଣ ପାଣିଗ୍ରାହୀ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ । ଅନ୍ୟ ଏକ କାର୍ଯ୍ୟକ୍ରମ ଖେଳ ଶିକ୍ଷକ ସୁବାଷ ଚନ୍ଦ୍ର ଭୋଇଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରରେ ଚେସ ଓ କ୍ୟାରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।