ସ୍ତ୍ରୀକୁ କଟୁରୀରେ ହାଣିଲା ସ୍ୱାମୀ

ପୁରୀ : ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଅତି ନିର୍ମମ ଭାବେ କଟୁରୀରେ ହାଣି ହତ୍ୟା କରିଥିଲା ସ୍ୱାମୀ । ଗତ ୨୧ ତାରିଖ ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ରୁଆ ଗ୍ରାମରେ ରଶ୍ମିତା ବରାଳ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ ହେଉଛି ରୁଆ ଗ୍ରାମର ଭୁଟିଆ ଓରଫ ପ୍ରମୋଦ କୁମାର ବରାଳ । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଥିବା ବେଳେ ଅଭିଯୁକ୍ତ ପ୍ରମୋଦକୁ ଚନ୍ଦନପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ପୋଲିସ୍‌ର ସୂଚନା ଅନୁଯାୟୀ ବିବାହ ପରଠାରୁ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ରକରି ଝଗଡ଼ା ଲାଗି ରହୁଥିଲା । ସ୍ୱାମୀ ପ୍ରମୋଦ ସବୁବେଳେ ନିଶା ସେବନ କରୁଥିବାରୁ ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥିଲା । ଏଥି ପାଇଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନିମାଲିନ୍ୟ ଥିଲା ।
ତେବେ ଗତ ୨୧ ତାରିଖରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏହି ବିବାଦକୁ ନେଇ ଝଗଡ଼ା ଲାଗିଥିଲା । ଏହାକୁ ନେଇ ସ୍ୱାମୀ ପ୍ରମୋଦ ଉତ୍ତେଜିତ ହୋଇଯାଇଥିଲେ ।
ରଶ୍ମିତା ତାଙ୍କ ଦୋକାନରେ ବସିଥିବା ସମୟରେ ତାଙ୍କ ସ୍ୱାମୀ ପ୍ରମୋଦ ଏକ କଟୁରୀରେ ତାଙ୍କୁ ହାଣି ଅତି ନୃଶଂସ ଭାବେ ହତ୍ୟା କରିଥିଲା । ଘଟଣାସ୍ଥଳରେ ହିଁ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପ୍ରମୋଦ ଫେରାର ଥିବାବେଳେ ଚନ୍ଦନପୁର ଥାନା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ସଦର ଏସଡିପିଓ ରବିନାରାୟଣ ଭଞ୍ଜ ସୂଚନା ଦେଇଛନ୍ତି ।

Comments (0)
Add Comment