ଆସନ୍ତାକାଲି ବାହୁଡିବେ ମହାବାହୁ

ପୁରୀ : ସରିଲା ଶ୍ରୀଜୀଉଙ୍କ ଜନ୍ମବେଦୀ ଲୀଳାଖେଳା ।ଆସନ୍ତାକାଲି ବାହୁଡ଼ିବେ ମହାବାହୁ । ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନରେ ବିଶ୍ୱନିଅନ୍ତାଙ୍କୁ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଚଳିତ ଶ୍ରୀଗୁଣ୍ଡିଚାରେ ବାରମ୍ବାର ନୀତି ବିଭ୍ରାଟ ପରେ ଶେଷରେ ଚେତିଛି ପ୍ରଶାସନ । ଗତକାଲି ଠାରୁ ଗର୍ଭଗୃହ ଦର୍ଶନ ବନ୍ଦ ହୋଇଥିବା ବେଳେ ଆଜି ସଅଳ ହୋଇଛି ନୀତି । ରାତ୍ର ୩ଟା୨୦ ରୁ ଦ୍ୱାରଫିଟା, ୪ଟାରେ ମଙ୍ଗଳ ଆଳତୀ, ୫ ଟା ସୁଦ୍ଧା ରୋଷହୋମ, ୬ଟା୫୫ ସୁଦ୍ଧା ଗୋପାଳ ବଲ୍ଲଭ, ସକାଳ ୯ଟା୨୦ ସୁଦ୍ଧା ପ୍ରଥମ ଭୋଗମଣ୍ଡପ, ୨ଟା ୨୦ ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ଓ ୪ଟାରେ ସନ୍ଧ୍ୟା ଧୂପ ସରିଛି ଏବଂ ତୃତୀୟ ଭୋଗ ମଣ୍ଡପ ବାହାରିଛି । ସେପଟେ କଥିତ ଅଛି ସତ୍ୟଯୁଗରେ ରାଜା ଇନ୍ଦ୍ରଦ୍ୟୁମ୍ନ ନବମୀ ଦିନ ସଂଧ୍ୟାରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେହିଦିନ ଠାରୁ ନବମୀ ସଂଧ୍ୟା ଦର୍ଶନ ହୋଇଆସୁଛି । ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାରାଣୀଙ୍କ ସହ ଆଡପମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି । ଆଜି ସନ୍ଧ୍ୟା ଦର୍ଶନ ବନ୍ଦ ପରେ ଆରମ୍ଭ ହୋଇଛି ବାହୁଡା ନୀତି । କୋଠ ସୁଆଁସିଆ ମାନେ ସିଂହାସନକୁ ଚାରମାଳ ବାନ୍ଧିବା ଆରମ୍ଭ କରିଛନ୍ତି ।ପରେ ଅନ୍ୟ ନୀତି ବଢିବା ସହ ଶ୍ରୀମୁଖ ଖଣ୍ଡୁଆ ହୋଇ ବଡ଼ସିଂହାର ବେଶରେ ପହୁଡ଼ ହେବେ ଶ୍ରୀଜୀଉ ।
ସେପଟେ ପରମ୍ପରା ମୁତାବକ ଆସନ୍ତାକାଲି ମାଉସୀମା ହାତରୁ ପୋଡ଼ପିଠା ଖାଇ ବାହୁଡିବେ କଳାଠାକୁର । ସେଥିପାଇଁ ବଳଗଣ୍ଡି ମାଉସୀମା ମନ୍ଦିର ତରଫରୁ ସରିଛି ପ୍ରସ୍ତୁତି । ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ନୀତି ଶୃଙ୍ଖଳିତ କରିବାକୁ ଦର୍ଶନ କାଟଛାଟ କରାଯାଇଛି କହିଛନ୍ତି ବରିଷ୍ଠ ସେବାୟତ । ସିଂହାସନକୁ ଚାରମାଳ ବାନ୍ଧିବାକୁ କୋଠ ସୁଆସିଆଙ୍କୁ ପ୍ରାୟ ୯ ଘଣ୍ଟା ଲାଗେ, ତାସହ ଅନ୍ୟାନ୍ୟ ନୀତି ବଢେ ତେଣୁ ଦର୍ଶନକୁ ଆଗୁଆ ବନ୍ଦ ରଖିଲେ ହିଁ ବାହୁଡା ଯାତ୍ରା ଶୃଙ୍ଖଳିତ ହେବ ବୋଲି କହିଛନ୍ତି ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର । ସେପଟେ ବାହୁଡା ଯାତ୍ରା ପାଇଁ ଅଧିକା ୨୦ ପ୍ଲାଟୁନ ଫୋର୍ସ ମୁତୟନ କରିଛି ପୋଲିସ ।
ଦୁଇ ଦ୍ୱାରରେ ବନ୍ଧୁକ ଧାରୀ ପୁଲିସ ରହିଥିବା ବେଳେ ସ୍ପେଶାଲ ଟାକ୍ଟିକାଲ ୟୁନିଟକୁ ମଧ୍ୟ ମୁତୟନ କରାଯାଇଛି ।ସେପଟେ ସିସିଟିଭି ବଳୟ ଭିତରେ ରହିଛି ଗୁଣ୍ଡିଚା ମନ୍ଦିର ।

Comments (0)
Add Comment