ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା, ଭକ୍ତ ଖୁସ୍‌

ପୁରୀ : ସବୁ ଉତ୍କଣ୍ଠାର ଅନ୍ତ ହୋଇଚି । ଶ୍ରୀ ମନ୍ଦିରରୁ ବାହାରିଛି ନିଳାଚଳ ଅବଢ଼ା । ଭକ୍ତ ନିଳାଚଳ ଅବଢ଼ା ପାଇଁ ବେଶ୍‌ ଆନନ୍ଦିତ ହୋଇଛନ୍ତି । ନୀଳାଚଳ ଅବଢ଼ା ପାଇବା ପାଇଁ ଭକ୍ତ ମାନେ ଆଜି ବହୁ ସମୟ ଅପେକ୍ଷାରେ ଥିଲେ । ସନ୍ଧ୍ୟା ୫ଟାରେ ନୀଳାଚଳ ଅବଢ଼ା ପାଇଛନ୍ତି ଭକ୍ତ । ନିଜର ବରାଦ ମୁତାବକ ଅବଢ଼ା ନେଇଛନ୍ତି ଭକ୍ତ । ନିଜ ପରିବାର ଲୋକଙ୍କ ସହ ଅବଢ଼ା ସେବନ କରିବା ସହ ନିଜ ବନ୍ଧୁ ବାନ୍ଧବ, ସାହୀ ପଡିଶାଙ୍କୁ ବଣ୍ଟନ ହେବ ମହାପ୍ରସାଦ । ବିଶେଷ କରି ପୁରୀ ବାସିନ୍ଦା ମହାପ୍ରଭୁଙ୍କ ପ୍ରଥମ ନିଳାଚଳ ଅବଢ଼ା ନେବା ପାଇଁ ଅପେକ୍ଷାରେ ଥିଲେ । ଆଜି ମହାପ୍ରଭୁଙ୍କ ଅନେକ ସ୍ୱତନ୍ତ୍ର ନୀତି ଥିବାରୁ ଅବଢ଼ା ବାହାରିବାରେ ସାମାନ୍ୟ ବିଳମ୍ୱ ହୋଇଥଲା । ସେପଟେ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ଶ୍ରୀ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥଲା । ପ୍ରବଳ ଭିଡକୁ ଖାତିର ନ କରି ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଧନ୍ୟ କରିଥିଲେ ଭକ୍ତ । ମହାପ୍ରଭୁ ଆଡ଼ପ ମଣ୍ଡପରେ ବିଜେ ପରେ ନୀଳାଚଳ ଅବଢ଼ା ବନ୍ଦ ରହିଥିଲା । ତେବେ ଆଜି ପୂର୍ବ ଭଳି ଶ୍ରୀମନ୍ଦିର ରୋଷ ଘର ଚଳଚଞ୍ଚଳ ହୋଇଚି । ସୂପକାର ମାନେ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିରେ ଲଗିପଡ଼ିଥିଲେ । ଶେଷ ମହାପ୍ରଭୁଙ୍କ ପ୍ରଥମ ନିଳାଚଳ ଅବଢ଼ା ପାଇ ଭକ୍ତ ବେଶ୍‌ ଖୁସି ରହିଛନ୍ତି । ତେବେ ଗତ ସ୍ନାନ ଯାତ୍ରାରେ ମହାପ୍ରଭୁ ୧୦୮ ଗଡୁ ଜଳରେ ସ୍ନାନ କରି ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଗୁପ୍ତ ଉପଚାରରେ ଥିଲେ । ଏଣୁ ମହାପ୍ରଭୁଙ୍କ ପାଖରେ ଅନ୍ନ ଭୋଗ ବନ୍ଦ ରହିଥିଲା । ପରେ ମହାପ୍ରଭୁ ରଥ ଯାତ୍ରାରେ ଆଡ଼ପମଣ୍ଡପରେ ବିଜେ ପରେ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପ୍ରସ୍ତୁତ କରାଯାଉଥିଲା । ତେବେ ନବ ଦିନାତ୍ମକ ଯାତ୍ରା ସାରି ନିଳାଦ୍ରୀ ବିଜେରେ ମହାପ୍ରଭୁ ରତ୍ନ ସିଂହାସନରେ ପୁଣି ବିଜେ କରିଛନ୍ତି । ନିଳାଦ୍ରୀ ବିଜେ ପରଦିନ ଯେଉଁ ପ୍ରଥମ ଅବଢ଼ା ମହାପ୍ରସାଦ ବାହାରିଥାଏ ତାହାକୁ ନିଳାଚଳ ଅବଢ଼ା କୁହାଯାଏ । ମହାପ୍ରଭୁଙ୍କ ଶ୍ରୀ ମନ୍ଦିର ପ୍ରତ୍ୟାବର୍ତ୍ତନ ପରେ ପ୍ରଥମ ଅବଢ଼ା ମହାପ୍ରସାଦ ବାହାରୁଥିବା ଏହାକୁ ନେବା ପାଇଁ ଭକ୍ତ ମହଲରେ ବେଶ୍‌ ଉତ୍କଣ୍ଠା ଥାଏ ।

Comments (0)
Add Comment