ଚମ୍ପୁଆ ଏନ୍‌ଏସିରେ ବଢୁଛି ମଶାଙ୍କ ପାଦୁର୍ଭାବ, ଡେଙ୍ଗୁକୁ କରାଯାଉଛି ନିମନ୍ତ୍ରଣ

ଚମ୍ପୁଆ : ଚମ୍ପୁଆ ଏନ୍‌.ଏ.ସି ବାସୀଙ୍କୁ ଘାରିଲାଣି ଡେଙ୍ଗୁ ଜ୍ୱରର ଚିନ୍ତା । ଦିନକୁ ଦିନ ମଶାଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଜନ ସାଧାରଣଙ୍କୁ ଅତିଷ୍ଠ କରିପକାଇଲାଣି । ଏକ ପକ୍ଷରେ ଲଘୁଚାପ ଜନିତ ଲଗାଣ ବର୍ଷା ମଶା ବଂଶ ବୃଦ୍ଧି କରିବାର ପ୍ରମୁଖ ସହାୟତା କରୁଛନ୍ତି । ଅନ୍ୟ ପକ୍ଷରେ ବିଭାଗ ପକ୍ଷରୁ ଏଥିପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହି ମଶା ବଂଶ ବୃଦ୍ଧି ଫଳରେ ଅଂଚଳ ବାସୀଙ୍କୁ ଦିନ ବେଳା ମଧ୍ୟ ମଶାରୀ ବ୍ୟବହାର କରିବା ପାଇଁ ପଡୁଛି । ବର୍ଷା ଦିନେ ଠୁଳ ହୋଇ ସ୍ଥିର ଭାବରେ ରହୁଥିବା ପାଣିରେ ଡେଙ୍ଗୁ ମଶା ବଂଶ ବିସ୍ତାର କରୁଥିବା ବେଳେ ସଚେତନ ଅଭାବରୁ ଅନେକ ସ୍ଥାନରେ ପାଣି ଠୁଳ ହୋଇ ରହୁଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ । ଏନ୍‌.ଏ.ସି ପକ୍ଷରୁ ମଶା ବଂଶ ନଷ୍ଟ କରିବା ପାଇଁ କୌଣସି ଧୂଆଁର ବ୍ୟବସ୍ଥା କରାଯାଇ ନଥିବା ବେଳେ ସନ୍ତସନ୍ତିଆ ଜାଗା ଗୁଡିକ ପର୍ଯ୍ୟାୟ କର୍ମରେ ସଫା ହେବାର ଆବଶ୍ୟକତା ପଡିଲାଣି । ଡେଙ୍ଗୁ ମଶା ବଂଶକୁ ସମୂଳେ ନଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ କୌଣସି ରାପିଡ ଆକ୍ସନ୍‌ ଗ୍ରହଣ କରାନଯିବା ଓ ସଚେତନତା ଅଭାବରୁ ଅଂଚଳରେ ଡେଙ୍ଗୁ ଜ୍ୱର ହେବାର ସମ୍ଭାବନା ଅଧିକ ରହିଛି । ମଶା ବଂଶ ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ, ୟେଲୋଫିବର ଆଦି ଜ୍ୱର ହେବାର ସମ୍ଭାବନା ରହୁଥିବାରୁ ଏଥିପାଇଁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ହୋଇପଡିଛି । ଏ ନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀ ଉମାକାନ୍ତ ସାହୁଙ୍କ ନିର୍ଦ୍ଦେସ କ୍ରମେ ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ବୁଲି ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝୁଥିଲେ ହେଁ ଜନ ସାଧାରଣଙ୍କୁ ସଚେତନ କରାଯାଉନାହିଁ । ଅନ୍ୟ ପକ୍ଷରେ ଏନ୍‌.ଏ.ସି ସାନିଟାଇଜେସନ ଅଧିକାରୀ ବିଜୟ କୁମାର ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି ଯେ ବର୍ଷା ଯୋଗୁଁ ମଶା ଧୂଆଁ ଦେବା ସମ୍ଭବ ହୋଇ ପାରୁ ନାହିଁ । ମାତ୍ର ଡ୍ରେନ ଗୁଡିକରେ ମଶା ତେଲ ପକାଯାଉଅଛି । ସୂଚନା ଯୋଗ୍ୟକି ବର୍ତ୍ତମାନ ସୁଧା ଚମ୍ପୁଆ ଏନ୍‌.ଏ.ସିର ବିଭିନ୍ନ ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା କରାଯାଇ ପାରି ନାହିଁ ।

Comments (0)
Add Comment