ଫୁଲବାଣୀରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଫୁଲବାଣୀ: ସରକାରଙ୍କ ବିକାଶ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଛି । ଆଜି ଫୁଲବାଣୀରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ସମୟରେ ଜନସାଧାରଣଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଅକୁଣ୍ଠ ସ୍ନେହ ଓ ଶ୍ରଦ୍ଧା ଦେଖିବାକୁ ମିଳିଥିଲା । ତୃଣମୂଳସ୍ତରରେ ଘରେଘରେ ପହଞ୍ଚି ସରକାରଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଓ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ଅନ୍ତର୍ଭୁକ୍ତି କରାଇବା ଏହି ଜନ ସମ୍ପର୍କ ପଦଯାତ୍ରାର ମୂଳ ଲକ୍ଷ୍ୟ । ପଦଯାତ୍ରା ପ୍ରଥମେ କେରେଡି ମୁଖ୍ୟ ରାସ୍ତାଠାରୁ ବାହାରି ସାହି ରାସ୍ତା ଦେଇ ନିର୍ମାଣାଧୀନ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସେହିପରି ଗଞ୍ଜୁଗୁଡା ଗ୍ରାମରେ ଲୋକ ସମ୍ପର୍କ ପଦଯାତ୍ରା ସେଠାକାର ନିର୍ମାଣାଧୀନ ମହାଦେବ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଆୟୋଜିତ ସାଧାରଣ ସଭାରେ ସାଂସଦ ଶ୍ରୀ ସାମନ୍ତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା, ସୁବିଧା ସୁଯୋଗ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ସରୋଜ କର୍ଣ୍ଣ, କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବିଜୁ ଯୁବ ସଭାପତି ବିଷ୍ଣୁ ମଲ୍ଲିକ, ମହିଳା ବିଜେଡି ସଭାପତି ପୁନମ କହଁର ଓ ଛାତ୍ର ବିଜେଡି ସଭାପତି ସୁନୀଲ ସେଠି, ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦ୍ରମା କହଁର, ବିଧାୟକ ପ୍ରତିନିଧି ତଥା ରାଜ୍ୟ ସାମାଜ ସେବୀ ନୀଳାମ୍ବର କହଁର ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment