ପୁରୀ : ଆଜି ଫଗୁ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ପ୍ରମୁଖ ଯାତ୍ରା ଅଟେ । ତେବେ ଆସନ୍ତାକାଲି ଫାଲଗୁନ ଶୁକ୍ଳ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ । ସେଠାରେ ଅବିର ଓ ଫଗୁ ଲାଗି କରାଯିବ । ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ ମଧ୍ୟ ଅନୁଷ୍ଠିତ ହେବ । ଆସନ୍ତା ୨୪ ତାରିଖରେ ମେଣ୍ଢା ପୋଡ଼ି ଓ ୨୫ ତାରିଖରେ ଦୋଳପୂର୍ଣ୍ଣିମା ଥିବାରୁ ଦୋଳବେଦୀରେ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବ । ତେଣୁ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଶ୍ରୀମନ୍ଦିରରେ ଆଜି ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହୋଇଛି । ଭୋର ୪ଟା ୪୫ ରେ ଦ୍ୱାରଫିଟା, ୫ଟା ୪୫ରେ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିଛି । ତେବେ ଆସନ୍ତାକାଲି ଫାଲଗୁନ ଶୁକ୍ଳ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବିଜେ କରି ଜଗନ୍ନାଥ ବଲ୍ଲଭ ମଠକୁ ଆସିଥାନ୍ତି । ପରେ ସେଠାରେ ଅବିର ଓ ଫଗୁ ଲାଗି କରାଯାଇଥାଏ । ତେବେ ଆଜି ଫାଲଗୁନ ଶୁକ୍ଳ ଦଶମୀ ଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ଆସନ୍ତାକାଲି ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହୋଇଥାନ୍ତି । ସେପଟେ ଆସନ୍ତା ୨୪ ତାରିଖରେ େମେଣ୍ଢା ପୋଡ଼ି ଓ ୨୫ ତାରିଖରେ ଦୋଳପୂର୍ଣ୍ଣମୀ ଅନୁଷ୍ଠିତ ହେବ । ଏହି ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳବେଦୀକୁ ଆସିବାର ପରମ୍ପରା ରହିଛି । ଏଥିସହ ମହାପ୍ରଭୁଙ୍କ ଦୋଳ ବିମାନକୁ ଦୋଳବେଦୀ ବାହାର ଓ ଭିତର ପାର୍ଶ୍ୱର ଚାରିପାଖ ରେ ପ୍ରଦକ୍ଷଣ କରାଯାଇଥାଏ । ତେବେ ଦୋଳବେଦୀ ରେ ଚାଲିଥିବା ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଟାଟା ଓ ଓବିସିସି ଜିଏମ୍ଙ୍କ ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଭକ୍ତମାନେ ଯେଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରବଳ ଖରା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପାନୀୟ ଜଳ, ସିଂହଦ୍ୱାର ନିକଟ ବ୍ୟାରିକେଡ଼ରେ ମ୍ୟାଟ୍ ମଧ୍ୟ ପକାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି ।ଆସନ୍ତା ୨୫ ତାରିଖରେ ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସ୍ୱତନ୍ତ୍ର ବିମାନରେ ବିଜେ କରି ଦୋଳବେଦୀରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ସେହିପରି ଦୋଳପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ସକାଳ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାରୁ ଭକ୍ତମାନେ ଏହି ବେଶ ଦର୍ଶନ ପାଇଁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।