୭୪ତମ ବନ ମହୋତ୍ସବ ପାଳିତ

ହରଭଙ୍ଗା :ଓଡିଶା ବନ ବିଭାଗ ବୌଦ୍ଧ ଜିଲ୍ଲା ବନ ଖଣ୍ଡ ଆନୁକୂଲ୍ୟରେ ଆଜି ୭୪ତମ ବନ ମହୋତ୍ସବ ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥାୟୀ ନର୍ସରୀ ଠାରେ ପାଳିତ ହୋଇଯାଇଛି । ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ଓ ପରିବେଶ ରକ୍ଷା , ନୂତନ ଜଙ୍ଗଲ ସୃଷ୍ଟି, ଜଙ୍ଗଲ ବିନା ଜୀବଜଗତ ତିଷ୍ଠି ରହିବା ଅସମ୍ଭବ ଆଦି ସଚେତନତା କାର୍ଯ୍ୟକ୍ରମ ସହିତ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ ଓ ପରିବେଶ, ପାନୀୟ ଜଳ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ପ୍ରଥମେ ସାଧୁଚରଣ ଉଚ୍ଚ ବିଦ୍ୟାଳୟ ବୀରନରସିଂପୁର ଠାରେ ବୃକ୍ଷ ରୋପଣ କରିଥିଲେ । ପରେ ଜାଇକା ପ୍ରକଳ୍ପରୁ ଏକ ନୂତନ କୋଠା ୨୨ଲକ୍ଷ ୫୬ହଜାର ଟଙ୍କା ବ୍ୟୟ ଅଟକଳରେ ସ୍ଥାୟୀ ନର୍ସରୀ ପରିସରରେ ହେବାକୁ ଥିବା ନେଇ ମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ଶିଳାନ୍ୟାସ, ଭର୍ମି କମ୍‌ପୋଷ୍ଟର ଶୁଭ ଉଦଘାଟନ କରାଯିବା ପରେ ବନ ମହୋତ୍ସବ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭା କାର୍ଯ୍ୟରେ ମନ୍ତ୍ରୀଙ୍କ ସମେତ ଅନ୍ୟତମ ଅତିଥିଭାବେ ଜିଲ୍ଲା ବନ ଅଧିକାରୀ ଦେବପ୍ରିୟ କମ୍ପ, ୭ନଂ ଜୋନ ଜିଲ୍ଲାପରିଷଦ ବିଶ୍ୱଜିତ ମିଶ୍ର, ଏସିଏଫ ଆଶିଷ କହଁର, ଏସିଏଫ ମିନାକ୍ଷୀ କୁମରା ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ଓ ପରିବେଶ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ବନ ମହୋତ୍ସବକୁ ନେଇ ଜିଲ୍ଲାର ବୌଦ୍ଧ, କଣ୍ଟାମାଳ ଓ ମନମୁଣ୍ଡା ତିନି ଗୋଟି କ୍ଷେତ୍ରାଞ୍ଚଳ ବିଭିନ୍ନ ସ୍ଥାନରେ ବନ ବିଭାଗ ଦ୍ୱାରା ବୃକ୍ଷରୋପଣ କରାଯାଇଥିବାର ଜିଲ୍ଲା ବନ ଅଧିକାରୀ ଶ୍ରୀ କମ୍ପ ସୂଚନା ଦେଇଛନ୍ତି ।

Comments (0)
Add Comment