ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନାଁ ନେଉନି । ବାଲିଗୁଡ଼ା ଥାନା ଅଞ୍ଚଳରେ ଚୋରା ଚାଲାଣକୁ ରୋକିବା,ବେଆଇନ୍ ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ ଗିରଫ କରିବାକୁ ପ୍ରଚେଷ୍ଟା ଜାରି ରଖିଛି ପୋଲିସ୍ । ଗତକାଲି ଗଞ୍ଜେଇ ଭର୍ତ୍ତି ଏକ ସୁଇଫ୍ଟ ଡିଜାଏର କାର୍ ଜବତ କରିବାସହ ତିନିଜଣ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଏକ ସୁଇଫ୍ଟ କାର୍ (ଓଡି ୦୨ ସିଜି-୭୨୦୨) ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସ ଗାଡ଼ିକୁ ଅଟକାଇ ଯାଞ୍ଚ୍ କରିବା ବେଳେ କାର୍ ଭିତରେ ବେଆଇନ୍ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । କାର୍ ସମେତ ୨୬ କେଜି ୫୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ କରିବା ସହ ଘଟଣାରେ ତିନିଜଣ ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍ । ଗିରଫ ତିନିଜଣଙ୍କ ମଧ୍ୟରେ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ତାରାସିଙ୍ଗ ଅଞ୍ଚଳର ଖଣ୍ଡୁ ପ୍ରଧାନ ଓ କୁଲାଡ଼ ଅଞ୍ଚଳର ରଞ୍ଜନ ମହାରଣା ହୋଇଥିବା ବେଳେ ଅନ୍ୟ ଜଣକ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଟେଟେର ଗାଁ ଅଞ୍ଚଳର ବାଲ୍ମିକୀ ପ୍ରଧାନ ହୋଇଥିବା ଜଣାପଡ଼ିଛି । ସେପଟେ ଏହି ଗଞ୍ଜେଇ ବାଲିଗୁଡ଼ା ଅଞ୍ଚଳରୁ ଭୁବନେଶ୍ୱର ଚାଲାଣ ହେଉଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏନେଇ ବାଲିଗୁଡ଼ା ଥାନା କେସ୍ ନଂ ୧୪୦/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବାଲିଗୁଡ଼ା ପୋଲିସ୍ ।