ସୋନପୁର ଗଡଜାତ ପାଇଁ ବାହାରିଲା ନୂଆଁଖାଇ ଲଗ୍ନ

ସୁବର୍ଣ୍ଣପୁର: ଆଜି ସୋନପୁର ଗଡ଼ଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ନୂଆଁଖାଇ ଲଗ୍ନ ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁକ୍ତିମଣ୍ଡପ ରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର ୨୦ ତାରିଖ ବୁଧବାର ଦିନ ଘ.୧୦.୩୬ମି ରୁ ଘ.୧୦.୫୦ମି ମଧ୍ୟେ ବିଛା ଲଗ୍ନରେ ନୂଆଁଖାଇ ଲଗ୍ନ ସ୍ଥିର ହୋଇଥିବା ବେଳେ ସକାଳ ୮ ଟା ୩୦ମି ରୁ ୯ ଟା ୩୦ମି ମଧ୍ୟେ ସମଲେଶ୍ୱରୀ ମନ୍ଦିରରୁ ବିରାଟ ପଟୁଆରରେ ମା ସୁରେଶ୍ୱରୀଙ୍କ ପାଇଁ ପାହୁର ଯାତ୍ରା ବାହାରିବ ଓ ଅଷ୍ଟ ଚଣ୍ଡି, ଅଷ୍ଟ ଶମ୍ଭୁ ଓ ଅଷ୍ଟ ବିଷ୍ଣୁଙ୍କ ଠାରେ ନବାହ୍ନ ଲାଗି ହେଲା ପରେ ନିଜ ନିଜ ଇଷ୍ଟ ଦେବୀ ଓ ସାଧାରଣ ଜନତା ନବାହ୍ନ ଭକ୍ଷଣ କରିବେ । ବହୁ ପୂର୍ବରୁ ସୋନପୁର ଗଡଜାତ ରାଜ୍ୟର ନୂଆଖାଇ ପାଇଁ ଏହି ଲଗ୍ନ ପରମ୍ପରା ଚାଲିଆସି ଥିବା ବେଳେ ପ୍ରତିବର୍ଷ ସୋନପୁରର ବଡ ଜଗନ୍ନାଥ ମନ୍ଦିରର ମୁକ୍ତି ମଣ୍ଡପରେ ବସି ପଣ୍ଡିତ ମାନେ ଲଗ୍ନ ନିର୍ଘଣ୍ଟ ସ୍ଥିର କରିଥାନ୍ତି । ସୋନପୁରର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ନାମ ଅନୁସାରେ ଶତଭିଷା ନକ୍ଷତ୍ର ଓ କୁମ୍ଭ ରାଶିକୁ ନେଇ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତିଥି ଓ ଲଗ୍ନ ନିର୍ଘଣ୍ଟ ଗଣନା କରାଯାଇ ଥାଏ । ଚଳିତ ବର୍ଷ ଜ୍ୟୋତିର୍ବିଦ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର ଲଗ୍ନ ନିର୍ଘଣ୍ଟ କରିଥିଲେ ।

Comments (0)
Add Comment