ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର, ଆସନ୍ତାକାଲିଠାରୁ ଯଜ୍ଞ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଯଜ୍ଞ ମଣ୍ଡପ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ଆସନ୍ତାକାଲି ଠିକ୍‌ ଅପରାହ୍ନରେ ୩ ଦିନ ବ୍ୟାପୀ ଯଜ୍ଞ ଆରମ୍ଭ ହେବ । ସେପଟେ ଆଜି ୫-ଟି ଅଧ୍ୟକ୍ଷଙ୍କ ସହ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ,ଜିଲ୍ଲାପାଳ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆସନ୍ତା କାଲି ଶ୍ରୀସେତୁ ଓ ଶ୍ରୀ ମାର୍ଗର ଟ୍ରାଏଲ ରନ ହେବ ।
ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ । ଦେଶର ପ୍ରମୁଖ ୬୦ ଓ ରାଜ୍ୟର ପ୍ରମୁଖ ମନ୍ଦିରରେ କର୍ମକର୍ତ୍ତାଙ୍କ ସହ ୯୦୦ ନିମନ୍ତ୍ରିତ ଅତିଥି ଯୋଗ ଦେବେ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଯଜ୍ଞ ପ୍ରକ୍ରିୟାର ତୃତୀୟ ଦିବସରେ ଅଙ୍କୁର ପୂଜନ ସମାପ୍ତ ହେବା ପରେ ଯଜ୍ଞ ମଣ୍ଡପରେ ସମସ୍ତ ମଣ୍ଡଳ ସ୍ଥାପନ ହୋଇଥିଲା । ଏହାପରେ ନିକଟସ୍ଥ ମଠ କୂପରୁ ଜଳ ଆଣି ଅଧିବାସ କାର୍ଯ୍ୟ ଶେଷ ହୋଇଛି । ଆସନ୍ତାକାଲି ସକାଳ ୭.୩୦ ରୁ ଅଖଣ୍ଡ ଦୀପ ସ୍ଥାପନ ପରେ ଅପରାହ୍ନ ୩ ଟାରେ ଶ୍ରୀମନ୍ଦିର ରୋଷଶାଳା ରୁ ଅଗ୍ନି ଆସି ଯଜ୍ଞ ଆରମ୍ଭ ହେବ ।ମହାପ୍ରଭୁଙ୍କ ସ୍ମରଣ କରି ଏହି ଯଜ୍ଞ କରାଯିବ ।ଯଜ୍ଞ ମଣ୍ଡପ ପରି ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାଠ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ କରାଯାଇଛି । ୬୦ ଜଣ ବିଦ୍ୟାର୍ଥୀ ବେଦ ପାଠ କରିବେ । ପୂର୍ବ ବା ସିଂହଦ୍ୱାରରେ ଋକ୍‌ ବେଦ,ପଶ୍ଚିମ ଦ୍ୱାରରେ ସାମ ବେଦ ,ଉତ୍ତର ଦ୍ୱାରରେ ଅଥର୍ବ ବେଦ,ଦକ୍ଷିଣ ଦ୍ୱାରରେ ଓ ଦକ୍ଷିଣ ଦ୍ୱାରରେ ଯଜୁର୍ବେଦ ପାଠ କରାଯିବ ।


ଲୋକାର୍ପଣ ପଥର ଫଳକରେ ଅଷ୍ଟଧାତୁ ଖୋଦେଇ ଫଳକ ଖୋଦେଇ ହୋଇ ଲାଗିଛି ।ପଥର ଚତୁଃପାର୍ଶ୍ୱ କନା ଦ୍ୱାରା ଆବୃତ୍ତ ହୋଇ ଦୁଇ ପାର୍ଶ୍ୱରେ ୬ ଇଞ୍ଚରେ ଝାଲର ଲାଗିବ ।ଶିଳାନ୍ୟାସ ଫଳକର ଦକ୍ଷିଣ ପାର୍ଶ୍ୱରେ ରହିଛି ଲୋକାର୍ପଣ ପଥର ଫଳକ ।
ଆଜି ସକାଳେ ୫-ଟି ତଥା ନବୀନ ଓଡିଶା ଅଧକ୍ଷ ଭି.କେ ପାଣ୍ଡିୟାନ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସମୀକ୍ଷା କରିଛନ୍ତି । ସେ ଯଜ୍ଞ ସ୍ଥଳ, ଅତିଥି ବସିବା ସ୍ଥାନ ଏବଂ ଶ୍ରୀ ମାର୍ଗ ଆଦି ବୁଲି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଲୋକାର୍ପଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ସମ୍ପାଦନ କରିବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ମଧ୍ୟ ସମୀକ୍ଷା କରିଛନ୍ତି । ୧୭ ତାରିଖ ଲୋକାର୍ପଣ ଉତ୍ସବ ପାଇଁ ସବୁ ପ୍ରସ୍ତୁତି ସରିଛି । ୯୦୦ ଅତିଥିଙ୍କ ବସିବା,ରହିବା ତଥା ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଅବଗତ ହେବା ପାଇଁ ସବୁ ବ୍ୟବସ୍ଥା ସରିଛି ।ଯଜ୍ଞ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଶ୍ରୀମାର୍ଗ ,ଶ୍ରୀ ସେତୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆସନ୍ତାକାଲି ହେବ ଟ୍ରାଏଲ ରନ । ୧୭ ତାରିଖ ଲୋକାର୍ପଣ ପରେ ସାଧାରଣ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗକୁ ଆସିପାରିବେ । ଆଜି ୫-ଟି ଅଧ୍ୟକ୍ଷ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ବୋଲି କହିଛନ୍ତି ଜିଲ୍ଲାପାଳ ।
ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ ଆରମ୍ଭ ହୋଇଗଲାଣି ଭକ୍ତଙ୍କ ଗହଳ ଚହଳି । ବାହ୍ୟ ପରିକ୍ରମା ମାର୍ଗରୁ ଶ୍ରଦ୍ଧାଳୁ ଯଜ୍ଞ ମଣ୍ଡପ ଓ ପରିକ୍ରମା ମାର୍ଗରେ ବୁଲି ବେଶ୍‌ ଆନନ୍ଦିତ । ଆସନ୍ତା ୧୭ ତାରିଖ ଅପରାହ୍ନ ପରେ ସମସ୍ତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପରିକ୍ରମା ମାର୍ଗରେ ବୁଲିପାରିବେ ।

Comments (0)
Add Comment