ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ଟିମନପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଏବିଇଓ ପ୍ରଭାତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ବିଇଓ ଯତୀଂଦ୍ର କୁମାର ସେଠ ଓ ମୁଖ୍ୟବକ୍ତା ଭାବରେ ସାହିତ୍ୟିକ ଡ.ସଞ୍ଜୟ ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ମିଥୁନ ବାଗ, ଓଏଭି ଅଧ୍ୟକ୍ଷ ବିଜୟ କୁମାର କର୍ମୀ ଓ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ ମାଝୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବୈଷ୍ଣବ ମେହେର ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କଲାପରେ ଅତିଥିମାନେ ଶ୍ରୀଗଣେଶଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଭାକାର୍ଯ୍ୟକୁ ମହେଶ୍ୱର ଗୁଆଲ ପରିଚାଳନା କରିଥିବା ବେଳେ ଅତୁଳ କୁମାର ସୂପକାର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା, ତର୍କ, କୁଇଜ, ନୃତ୍ୟ ସଙ୍ଗୀତ ଓ ମିଲେଟ ମିଶନ ଭଳି ବିଭିନ୍ନ ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ଆସିଥିବା ଶତାଧିକ ପ୍ରତିଭାଗୀ ଅଂଶ ଗ୍ରହଣକରି ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ । ଅପରାହ୍ଣରେ ବିଇଓ ଯତୀଂଦ୍ର କୁମାର ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଲା, ଜିଲ୍ଲା ପରିଷଦ ସଭ୍ୟା ଯାଜ୍ଞସେନୀ କଟା, ଆଶା ଜୈନ, ପୁଷ୍ପାଞ୍ଜଳି ଗୁଆଲ, ଏବିଇଓ ପ୍ରଭାତ କୁମାର ପାତ୍ର, ଓଏଭି ଅଧ୍ୟକ୍ଷ ବିଜୟ ରଞ୍ଜନ କର୍ମୀ, ଶିକ୍ଷକ ପଂଚାନନ ଖମାରୀ, ଶିକ୍ଷକ ସଂଘ ସଭାପତି ପ୍ରସନ୍ନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ଉନ୍ମୋଚନ କରିବାରେ ସୁରଭି ଏକ ପ୍ରଶସ୍ତ କ୍ଷେତ୍ର ବୋଲି ଏ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉଦଯାପନୀ ସଭା ପ୍ରାରମ୍ଭରେ ନରେଂଦ୍ର ନାଏକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ପରେଶନାଥ ପାଣିଗ୍ରାହୀ ମଂଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ରାକେଶ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ମଂଚରେ ପୁରସ୍କୃତ କରାଯାଇଥିଲା । ଏ ଅବସରରେ କୁନି କଳାକାରଙ୍କ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିଲା । କାର୍ଯ୍ୟକ୍ରମ ସଫଳତାରେ ବ୍ଲକ ଅନ୍ତର୍ଗତ ସମସ୍ତ ସିଆରସିସି, ଶିକ୍ଷକ, ବିଇଓ ଅଫିସ୍ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।