ଓଡିଶା ସୀମାନ୍ତ ରାସ୍ତା ନିର୍ମାଣକୁ ବିରୋଧ କଲା ଛତିଶଗଡ଼, ଦ୍ୱନ୍ଦ୍ୱରେ ଉଭୟ ରାଜ୍ୟ ପ୍ରଶାସନ

ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ପଂଚାୟତରେ ଏକ ରାସ୍ତା ନିର୍ମାଣକୁ ନେଇ ଉଭୟ ଓଡିଶା ଓ ଛତିଶଗଡ଼ ମଧ୍ୟରେ ପୁଣି ବିବାଦ ଦେଖା ଦେଇଛି । ଉଭୟ ପ୍ରଶାସନ ଏହି ରାସ୍ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥିବା ବେଲେ ଆଜି ଛତିଶଗଡ଼ ଜନସାଧାରଣ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ ସିନାପାଲି ସଦର ମହକୁମାଠାରୁ ୧୨ କିଲୋମିଟର ଦୂରରେ କୁସୁମଯୋର ପଂଚାୟତ ଅବସ୍ଥିତ । ଏହି କୁସୁମଯୋର ଗ୍ରାମଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଛତିଶଗଡ଼ ରାଜ୍ୟ ଅବସ୍ଥିତ । ଏଠାରେ ଥିବା ଯାମପଡା ରାସ୍ତା ଉପରେ ଓଡିଶା ପ୍ରଶାସନ ରାସ୍ତା ନିର୍ମାଣ କରୁଛି । ହେଲେ ଏହାକୁ ଛତିଶଗଡ଼ ପ୍ରଶାସନ ନିଜର ରାସ୍ତା ବୋଲି ଦାବୀ କରି ରାସ୍ତା ନିର୍ମାଣକୁ ତୀବ୍ର ବିରୋଧ କରିଛି । କୁସୁମଯୋର ପଂଚାୟତ ଅଧିନସ୍ଥ କସେଇପାଣି ଗ୍ରାମର ଅଣରାଜସ୍ୱ ଗ୍ରାମ ଜାମପଡା ଦେଇ ସିନାପାଲି ପ୍ରଶାସନ ତରଫରୁ ଏହି ରାସ୍ତା ଉପରେ ୬ଲକ୍ଷ ଅଟକଳରେ ମନରେଗା ଯୋଜନାରେ ରାସ୍ତା କାମ ଆରମ୍ଭ କରାଯାଇଛି । ଏହି ରାସ୍ତା କାମକୁ ଛତିଶଗଡ଼ ପ୍ରଶାସନ ନିଜ ରାସ୍ତା ବୋଲି ତୀବ୍ର ବିରୋଧ କରୁଛି । ହେଲେ ଏହି ରାସ୍ତାଟି ଛତିଶଗଡ଼ ନା ଓଡିଶାର ତାହା ଏବେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଏଠାରେ ସୂଚନାଯୋଗ୍ୟଯେ ଏହି ରାସ୍ତା ଉପରେ ଛତିଶଗଡ଼ ପ୍ରଶାସନ ପୂର୍ବରୁ ପୋଲ ନିର୍ମାଣ ସାଙ୍ଗକୁ ରାସ୍ତା କାମ କରି ସାରିଛି ଏବଂ ରାସ୍ତାଟି ଓଡିଶା ସୀମା ଠାରୁ ଛତିଶଗଡ଼ ଅଞ୍ଚଳରେ ଅବସ୍ଥିତି ଥିବା ମନେ ହେଉଛି । ହେଲେ ଏହି ରାସ୍ତାକୁ ଓଡିଶା ପ୍ରଶାସନ କିଭଳି ଭାବରେ ନିଜର ବୋଲି ମନରେଗା ରାସ୍ତା ନିର୍ମାଣ କରୁଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ରାସ୍ତା କାମକୁ ନେଇ ଛତିଶଗଡ଼ ରାଜ୍ୟ କଇଟପଦର ପଂଚାୟତ ସରପଂଚ ଏହି ଘଟଣାକୁ ନେଇ ତାଙ୍କ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ । ଅଭିଯୋଗ ପାଇଁ ଦେଭୋଗ ତହସିଲଦାର ସରଜମିନ ତଦନ୍ତ କରିବାକୁ ଆସି ନିଜର ଜାଗା ବୋଲି ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ କୁସୁମଯୋର ସରପଂଚ ଉଦିତ ପ୍ରତାପ ଜୌତି ନିଜ ମନମୁଖି କାର୍ଯ୍ୟ କରୁଥିବା ନେଇ ଛତିଶଗଡ଼ ପ୍ରଶାସନ କ୍ଷୋଭ ପ୍ରକାଶ କରିବା ସହ ଏକ ଅହେତୁକ କାର୍ଯ୍ୟ ବୋଲି ଅଭିହିତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟଯେ ୨୦୨୧/୨୨ ମସିହାରେ ରେ ଏଠାରେ ଥିବା ଅନ୍ୟ ଏକ ରାସ୍ତା କାମକୁ ଛତିଶଗଡ଼ ପ୍ରଶାସନ ବିରୋଧ କରିଥିଲା । ସେତେବେଳେ ପ୍ରକୃତରେ ଛତିଶଗଡ଼ ରାସ୍ତା ବୋଲି ଜଣାପଡିଥିଲା । ହେଲେ ପୁଣି ଏବେ ଅନ୍ୟ ଏକ ରାସ୍ତାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦ୍ୱନ୍ଦ୍ୱ ଦେଖା ଦେଇଛି । ଏହି ରାସ୍ତାଟି ଛତିଶଗଡ଼ ନା ଓଡିଶାର ତାହା ଚିହ୍ନଟ କରିବା ପାଇଁ ଉଭୟ ରାଜ୍ୟ ଜନସାଧାରଣ ଛତିଶଗଡ଼ର କଇଟପଦର ପଂଚାୟତର ରାଥୋରାମ ନାଗେଶ, ଯୟୋରାମ ନାଗେଶ, କୁମଲାଲ ସାଗର, ଗୋପନାଥ ନାଗେଶ, ଗୁଣଧର ମାଝି, ରୁକମଣି ନାଗେଶ, ମୋତିଲାଲ ନାଗେଶ, ଲାଲସିଂ ମାଝି, ଦିଲିପ, ଭୋଲାରାମ ନିଲାରାମ ସମେତ ଅନ୍ୟାନ୍ୟ ଲୋକେ ଦାବୀ କରିଛନ୍ତି । ଏନେଇ ସିନାପାଲି ତହସିଲଦାର ଉପାଂଜଳି ମାଝିଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରାଯିବ ବୋଲି କହିଛନ୍ତି ।

Comments (0)
Add Comment