ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ପୋକ ସାଲୁବାଲୁ ସୁଜି ଯୋଗାଉଥିବା ଏସ୍‌ଏସ୍‌ଜି ଗ୍ରୁପକୁ ନୋଟିସ୍‌

ଗଣିଆ: ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଉପରେ ଯୋଜନା କରିଛନ୍ତି । ଏପରିକି ଅଙ୍ଗନୱାଡି କେନ୍ଦ୍ରରେ କୋମଳମତି ଶିଶୁମାନଙ୍କୁ ଛତୁଆ ଓ ସୁଜି ଯୋଗାଇ ଦେଇଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ କିଛି ଦିନତଳେ ସୁଜିରୁ ପୋକ ସାଲୁବାଲୁ ବାହାରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ବ୍ଲକ ପ୍ରଶାସନ । ସୂଚନା ଥାଉକି ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଦେଢସର ଗ୍ରାମର କପିଳେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଯୋଗାଇ ଦିଆଯାଉଥିବା ସୁଜି ଅତି ନିମ୍ନମାନର ହୋଇଥିବାବେଳେ ବିଭିନ୍ନ ସମୟରେ ସେଥିରୁ ପୋକ ବାହାରୁଥିବା ଅଭିଯୋଗ ହୋଇଆସୁଥିଲା । କିନ୍ତୁ ସଂପୃକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହାକୁ ହେୟଜ୍ଞାନ କରି ଆସୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ଗଣିଆ ବ୍ଲକରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଥିଲେ ମଧ୍ୟ କାହା ସ୍ୱାର୍ଥରେ ଦଶପଲ୍ଲା ବ୍ଲକ ଦେଢ଼ସର ଗ୍ରାମର କପିଳେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଛି ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ ଭାରପାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରତନଲାଲ ଲୋହରା ଓ ସିଡିପିଓ ଉଷାରାଣୀ ସାହୁ ଶୁକ୍ରବାର ଦିନ ଗୁଣ୍ଡୁରୀବାରୀ ଅଙ୍ଗନାୱାଡି କେନ୍ଦ୍ରରେ ପହଁଚି ସ୍ଥିତି ପରଖିବା ସହିତ ଏଥିରେ ସମ୍ପୃକ୍ତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟାଳୟ ଗଣିଆ ତରଫରୁ ଚିଠି ନଂ ୩୮୬ ରେ ୨୮. ୮. ୨୦୨୩ ରିଖ ଠାରୁ ତିନିଦିନ ମଧ୍ୟରେ ସୂଚନା ପ୍ରଦାନ କରିବାପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏପରିକି ବ୍ଲକ ପ୍ରଶାସନର ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଜୁଲାଇ ମାସର ସୁଜି ହାଲୁଆ ପ୍ୟାକେଟକୁ ଫେରସ୍ତ ନେଇ ନୂତନ ପ୍ୟାକେଟ ଦେଇଛନ୍ତି । ତେବେ ଆଗାମୀଦିନରେ ସମ୍ପୃକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପରେ ପ୍ରଶାସନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Comments (0)
Add Comment