ସହରର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଜେପି ପକ୍ଷରୁ ବରଗଡ଼ ପୌର କାର୍ଯ୍ୟାଳୟ ଘେରାଓ

ବରଗଡ଼: ଆଜି ବରଗଡ଼ ସହରର ବିଭିନ୍ନ ସମସ୍ୟାର ସମାଧାନ ଓ ପୌରପରିଷଦରେ ଚାଲିଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ଭାରତୀୟ ଜନତା ପାର୍ଟି ବରଗଡ଼ ନଗର ତରଫରୁ ବରଗଡ଼ ପୌରକାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ଏହି ଅବସରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ୧୦ ଦଫା ଦାବିପତ୍ର ପୌର
କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କାରଯାଇଥିଲା ।
ଐତିହ୍ୟ ସମ୍ପନ୍ନ ବରଗଡ ସହରର ଜନ ସାଧାରଣ ଙ୍କୁ ବରଗଡ଼ ପୌର ପରିଷଦ ମୌଳିକ ସୁବିଧା ଯୋଗାଇବାରେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି । କ୍ରମାଗତ ଭାବେ ବିଜୁ ଜନତା ଦଳର ନେତୃବୃନ୍ଦଙ୍କ ଅନୈତିକ ହସ୍ତକ୍ଷେପ ଫଳରେ ପୌର ପରିଷଦ ତାର ନିଜ ମୂଳ ଦାୟୀତ୍ୱରୁ ଦୂରେଇ ଯାଇ ବିଜୁ ଜନତା ଦଳର ନେତୃବୃନ୍ଦଙ୍କୁ ଖୁସି କରିବାରେ ବ୍ୟସ୍ତ ରହୁଥିବା ଅଭିଯୋଗ କରିଛି ବିଜେପି । ଉକ୍ତ ୧୦ ଦଫା ଦାବି ମଧ୍ୟରେ ରହିଛି ୧) ପୌର ପରିଷଦ ର ଟେଣ୍ଡର ପ୍ରକ୍ରିୟାରେ ଆଦୌ ସ୍ୱଚ୍ଛତା ରଖାଯାଉନାହିଁ,କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଟେଣ୍ଡର ଫିକ୍ସିଂ କରାଯାଇ କାମ ପ୍ରଦାନ କରାଯାଉଛି । ଏହି ଟେଣ୍ଡର ଫିକ୍ସିରେ ବିଜୁ ଜନତା ଦଳର ନେତୃବୃନ୍ଦ ଏବଂ ପୌର ପରିଷଦର ଅସାଧୁ କର୍ମଚାରୀ ସଂପୃକ୍ତ ରହୁଥିବାରୁ ପୌର ପରିଷଦ ରେ ଚାଲିଥିବା ଟେଣ୍ଡର ଫିକ୍ସିଂ ର ଭିଜିଲାନ୍ସ ତଦନ୍ତ କରାଯାଉ ।
୨) ବରଗଡ ସହରର ପୋଖରୀ ପୁନରୁଦ୍ଧାର ନାମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଠିକାଦାର ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଭିଜଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ।
୩) ବରଗଡ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିହିତ ପଦକ୍ଷେପ ନିଆଯାଉ ।
୪) ବରଗଡ ସହରର ନାଳ ନର୍ଦ୍ଦମା ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି । ତୁରନ୍ତ ପ୍ରତ୍ୟେକ ୱାର୍ଡ଼ର ଡ୍ରେନକୁ ନବୀକରଣ କରାଯାଇ ସୁଦୃଢ କରାଯାଉ ।
୫) ବରଗଡ ପୌର ପରିଷଦର ଦୈନନ୍ଦିନ କାର୍ଯ୍ୟକଳାପରେ ବିଜେଡି ନେତୃବୃନ୍ଦଙ୍କ ଅନୈତିକ ହସ୍ତକ୍ଷେପକୁ ବନ୍ଦ କରାଯାଇ, ପୌର ପରିଷଦକୁ ରାଜନୀତି କରଣ କରା ନ ଯାଉ ।
୬) ବରଗଡ ସହର ଏକ ଧୂଳିର ସହରରେ ପରିଣତ ହେଲାଣି । ଯଦ୍ୱାରା ଜନସାଧାରଣ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ହେଉଛନ୍ତି ।ଏଣୁ ବରଗଡ ସହରକୁ ଧୁଲିମୁକ୍ତ କରିବା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ।
୭) ବରଗଡ ସହରର ବିଭିନ୍ନ ସ୍ଥାନରେ ଆବର୍ଜନା ଦୀର୍ଘଦିନ ଧରି ପଡ଼ିରହୁ ଥିବାରୁ ଏବଂ ନାଳ ଗୁଡ଼ିକ ଠିକ୍‌ ଭାବେ ସଫା କରାଯାଉ ନ ଥିବାରୁ, ସହରରେ ମଶା ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି, ଯଦ୍ୱାରା ଜନସାଧାରଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଣୁ ବରଗଡ ସହରକୁ ମଶା ମୁକ୍ତ ସହରରେ ପରିଣତ କରିବା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ।
୮) ରାଜନୈତିକ ଚାପର ବଶବର୍ତ୍ତୀ ନ ହୋଇ,ବରଗଡ ସହରରେ ରହୁଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉ ।
୯) ବୁଲା ଗୋରୁ ଗାଈ ମାନେ ସହର ବିଭିନ୍ନ ରାସ୍ତା ଉପରେ ଶୋଇ ରହୁଥିବାରୁ, ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏଣୁ ଉକ୍ତ ବୁଲା ଗୋରୁ ଗାଈ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ, ସହରରେ ଏକ କାଞ୍ଜି ହାଉସ ର ତୁରନ୍ତ ବ୍ୟବସ୍ଥା କରାଯାଉ ।
୧୦) ବରଗଡ ସହରବାସୀ ନିଜ ଆତ୍ମୀୟ ସ୍ୱଜନଙ୍କ ର ଦେହାନ୍ତ ହେଲାପରେ ସେମାନଙ୍କ ର ଶବ ଦାହ ପାଇଁ ଆବଶ୍ୟକ କାଠ ପାଇବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ଶବ ଦାହ ପାଇଁ ଆବଶ୍ୟକ କାଠ ଯୋଗାଇବା ପାଇଁ, ପୌର କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ।
ଉପୋରକ୍ତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ପୌର ପରିଷଦ ତରଫରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ, ଭାରତୀୟ ଜନତା ପାର୍ଟି, ବରଗଡ ତରଫରୁ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦେ।।ଳନ କରାଯିବ ବୋଲି ନଗର ସଭାପତି ଅକ୍ରୁର ମଲ୍ଲିକ ଚେତାବନୀ ଦେଇଛନ୍ତି ।ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ସୁରେଶ ପୁଝାରୀ,ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ବରିଷ୍ଠ ନେତା ଡି ମୁରଲୀ କ୍ରିଷ୍ଣା,ସୁରେଶ୍ୱର ଶତପଥୀ, ରବିନାରାୟଣ ଦାଶ,ପ୍ରୀତମ ସିଂ ,ମହିଳା ମୋର୍ଚ୍ଚା ସଭାନେତ୍ରୀ ଚଞ୍ଚଳା ରାଉତ,ମୃତ୍ୟୁଞ୍ଜୟ ମହାରଣା, ବେଦାନ୍ତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

Comments (0)
Add Comment