ସୁବର୍ଣ୍ଣପୁର : ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଠାରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜିଉଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଯାଇଛି । ସେଥିପାଇଁ ଆଜି ଭୋରରୁ ନୂତନ ଭାବରେ ଖୋଳାଯାଇଥିବା କୂଅରୁ ଭାରୁଆ ମାନେ ସ୍ନାନଜଳ ନେଇ ଛଳିଆ ପାହାଡ଼ ଉପରିସ୍ଥ ସ୍ନାନ ମଣ୍ଡପରେ ରଖି ଥିଲେ । ମଙ୍ଗଳ ଆଳତି, ଖେଚୁଡ଼ି ଭୋଗ ପରେ ଶ୍ରୀ ଜୀଉମାନଙ୍କୁ ଦୁର୍ଲଭ ଗଜାନନ ବେଶ କରାଯାଇଥିଲା । ପ୍ରଥମେ ଧାଡ଼ି ପହଣ୍ଡିରେ ଶ୍ରୀ ଜୀଉମାନେ ସ୍ନାନ ବେଦୀକୁ ଆସିଥିଲେ ପରେ ମଙ୍ଗଳରୋପଣ, ପୂଜା ନୀତି, ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା ।
ଚୁଆ, ଚନ୍ଦନ, କେଶର, ଅଗୁରୁ, ଭାସ୍କରାଦି ସୁବାସ ମିଶ୍ରିତ ଜଳରେ ଠାକୁରଙ୍କ ସ୍ନାନପାଇଁ
ଶ୍ରୀ ବଳଭଦ୍ରଙ୍କୁ ୩୩ ଗରା ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଦେବୀ ସୁଭଦ୍ରାଙ୍କୁ ୨୨ଗରା ଓ ଚକ୍ରରାଜ ସୁଦର୍ଶନଙ୍କୁ ୧୮ ମୋଟ -୧୦୮ ଗରା ପୂର୍ଣ୍ଣ କୁମ୍ଭ ସ୍ନାନ ପରେ ଗଜାନନ ବେଶ ଅନୁଷ୍ଠିତ ହୋଇ ଶୃଙ୍ଗାର, ଭୋଗ ଲାଗି, ଆଳତୀ ଅନୁଷ୍ଠିତ ହୋଇଥିଲା ।
ପୂଜାନୀତି ପଣ୍ଡିତ ବିଶ୍ୱେଶ୍ୱର ପାଢ଼ୀ, ଦେବାର୍ଚ୍ଚନ ଦାଶ, ଗୁଣା କର ପଣ୍ଡା, ଶ୍ରୀରାମ ପଣ୍ଡାଙ୍କ ଦ୍ୱାରା ସମାପନ ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ବିଶେଷ ଭାବରେ ସୁବର୍ଣ୍ଣପୁରରେ ଗତକାଲି ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିବା ବିମଳେନ୍ଦୁ ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ-ନିହାର ରଞ୍ଜନ କଁହର, ଉଲୁଣ୍ଡା ବିଡ଼ିଓ କରିସ୍ମା ବେଶ୍ରା ପ୍ରମୁଖଙ୍କ ଠାକୁର ଙ୍କର ବିରଳ ଗଜାନନ ବେଶ ଦର୍ଶନ କରିଥିଲେ ।
ସମଗ୍ର ପରିବେଶ ସଂକୀର୍ତନ, ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳିରେ ଉତ୍ସବ ମୁଖରହୋଇ ଉଠିଥିଲା । ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସ୍ନାନ ଏବଂ ବିରଳ ହାତୀ ବେଶ ଦର୍ଶନ କରିଥିଲେ ।