ବାଲିଗୁଡ଼ା: ପାରିବାରିକ କଳହର କରୁଣ ପରିଣତି । ଅମାନୁଷିକ ଭାବେ ସ୍ତ୍ରୀକୁ ସ୍ୱାମୀ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଖବରପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମ୍ପଡ଼ା ଗ୍ରାମରେ ଘଟିଥିବା ଜଣାପଡ଼ିଛି । ଘଟଣା ପ୍ରକାରେ କାମ୍ପଡ଼ା ଗ୍ରାମର ବିରୁପାକ୍ଷ ଦିଗାଲ ନାମକ ଜଣେ ବ୍ୟକ୍ତି ଅଧିକାଂଶ ସମୟରେ ମଦ ପିଇ ସ୍ତ୍ରୀ ଅନିତା ଦିଗାଲକୁ ମାରପିଟ୍ କରୁଥିବା ବେଳେ ଗତକାଲି ଘରେ ସ୍ତ୍ରୀ ଓ ୧୩ ବର୍ଷର ପୁଅ ଶୋଇଥିବା ବେଳେ ପୁଣି ଅନିତାକୁ ଅମାନୁଷିକ ଭାବେ ମାଡ଼ ମାରିବା ପରେ ଏକ କଇଁଚି ଦ୍ୱାରା ସ୍ତ୍ରୀର ଚୁଟି କାଟିବା ସହ ଅନିତାର ଓଠକୁ କାଟି ଦେଇଥିଲା । ପୁଅ ମୁନାକାନ୍ତ ଚେଷ୍ଟା କରିଥିଲେ ମଧ୍ୟ ମା କୁ ବାପା କବଳରୁ ରକ୍ଷା କରିପାରିଥିଲା । ଫଳରେ ଅନିତା ସେଠାରେ ବେହୋସ୍ ହୋଇ ପଡ଼ିଯାଇଥିଲେ । ପରିବାରର ଅନ୍ୟ ସଦସ୍ୟ ଓ ସମ୍ପର୍କୀୟ ଏ ସମ୍ପର୍କରେ ଖବରପାଇ ଅନିତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା କହିଛନ୍ତି ଅନିତାଙ୍କ ଝିଅ ଓ ଭାଇ । ସେପଟେ ଏନେଇ ଅନିତା ନିଜ ସ୍ୱାମୀ ବିରୋଧରେ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।