ଜ଼ିଲ୍ଲାସ୍ତରୀୟ ମିଳିତ ଅମଲା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସୁବର୍ଣ୍ଣପୁର: ଆଜି ସକାଳ ୮ ଟାରୁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅମଲା ମଂଚର ଅଧ୍ୟକ୍ଷ ଚିତ୍ତରଞ୍ଜନ ତରାସିଆଙ୍କ ନେତୃତ୍ୱରେ ଓ ଆବାହକ ଦିନେଶ ରଞ୍ଜନ ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ଜ଼ିଲ୍ଲା ହେଡ଼ କ୍ୱାଟରର ୩୨ ଟି ବିଭାଗର ୨୦୦ରୁ ଉର୍ଦ୍ଧ୍ୱ ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଏବଂ ଅମଲା ମାନେ ଆଜିଠାରୁ ଜ଼ିଲ୍ଲା ଓ ରାଜ୍ୟ ସାରା କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ସାମୁହିକ ଛୁଟି ନେଇଛନ୍ତି । ତେବେ ଅମଲା ମାନଙ୍କ ଯୋଗ୍ୟତା ତୁଳନାରେ ରାଜ୍ୟ ସରକାର ମାସିକ ଦରମା ପ୍ରଦାନ କରୁ ନ ଥିବା ଅଭିଯୋଗ କରିଛନ୍ତି । ଗତ ୨୦୧୭ ମସିହାରେ ରାଜ୍ୟ ସରକାର କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଯୋଗ୍ୟତା ନିର୍ଦ୍ଧାରଣ କରିଛନ୍ତି । ଅନ୍ୟୁନ୍ୟ ସ୍ନାତକ ସହିତ କଂପ୍ୟୁଟର ଶିକ୍ଷାକୁ ଯୋଗ୍ୟତା ଭାବେ ଗ୍ରହଣ କରାଯାଇଛି । ତେବେ ଯୋଗ୍ୟତା ତୁଳନାରେ କନିଷ୍ଠ ସହାୟକମାନଙ୍କୁ ଦରମା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି । ପୂର୍ବରୁ ବିଭିନ୍ନ ସମୟରେ ଅମଲା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇ ଥିଲେ ହେଁ ରାଜ୍ୟ ସରକାର ନୀରବ ରହିଥିବା ଅଭିଯୋଗ ହୋଇଛି । ତେବେ କନିଷ୍ଠ ସହାୟକମାନଙ୍କୁ ୯୩୦୦ ରୁ ୩୪.୮୦୦ଦରମା ହାର ପ୍ରଦାନ କରିବା ସହିତ ୪୨୦୦ ଗ୍ରେଡ ପେ -ପ୍ରଦାନ କରିବା ପାଇଁ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅମଲା ସଂଘର ପୂର୍ବ ନିଷ୍ପତ୍ତି କ୍ରମେ ଆଜି ଅମଲାମାନେ ମେ ୨୨ ତାରିଖରୁ କଳାବ୍ୟାଜ ପରିଧାନ କରି ମେ ଶେଷ ପର୍ଯ୍ୟନ୍ତ ନିଜ ନିଜ କାର୍ଯ୍ୟାଳୟରେ ନିଜ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କୁ ସେବା ଯୋଗାଇ ଆସୁ ଥିଲେ । ଦାବି ପୂରଣ ନ ହେଲେ ଜୁନ ୧ ତାରିଖ ରୁ ଅମଲାମାନେ ସମୁହ ଛୁଟିରେ ଯିବା ପାଇଁ ଚେତାବନୀ ଦେଇଥିଲେ । ରାଜ୍ୟ ମିଳିତ ଅମଲା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି ପୂରଣ ପାଇଁ ଏକ ଚରମ ପତ୍ର ବି ପ୍ରଦାନ କରାଯାଇଥିଲା । ଏବଂ ଜୁନ ୧ ସୁଦ୍ଧା ଦାବି ପୂରଣ କରିବାକୁ ଅନୁରୋଧ କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଅମଲା ସଂଘ ସହିତ କୌଣସି ଆଲୋଚନା କରାଯାଇ ନ ଥିବା ବେଳେ ରାଜ୍ୟ ସରକାର ଏଯାଏଁ ଅମଲା ସଂଘର ଦାବି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ତେବେ ଆଜିଠାରୁ ଅମଲାମାନେ ସାମୂହିକ ଛୁଟି ନେବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଦାବି ପୂରଣ ନ ହେବା ଯାଏଁ ଅମଲାମାନେ କାର୍ଯ୍ୟ ବନ୍ଦ ଆନ୍‌ଦୋଳନ କରିବା ସହିତ ନିଜ ନିଜ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି । ଅମଲା ମାନଙ୍କ ସାମୁହିକ ଛୁଟି ପାଇଁ ଆଜି ପ୍ରାୟ ୩୮ଟି ବିଭାଗ ର ସମସ୍ତ ସରକାରୀ କାର୍ଯ୍ୟାଳୟରେ କୌଣସି ସରକାରୀ କାର୍ଯ୍ୟ ହୋଇ ପାରୁନାହିଁ । ଜନସାଧାରଣ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ସେପଟେ ଅମଲା ମାନେ ଦାବି ପୂରଣ ନ ହେଲେ ସାମୁହିକ ଛୁଟି ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

Comments (0)
Add Comment