ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏବେ ମୁରବିହିନ ହୋଇପଡିଛି । ଜିଲ୍ଲା ତଥା ଜିଲ୍ଲା ବାହାରେ ନାଁ କରିଥିବା ଏହି ଡାକ୍ତରଖାନାରେ ଦୀର୍ଘଦିନ ହେବ ଉପଖଣ୍ଡ ଚିକିତ୍ସା ଅଧିକାରୀ ପଦ ଖାଲିପଡିଥିବାରୁ ପୁରା ଭୁଷୁଡି ପଡିଛି ଚିକିତ୍ସା ସେବା । ଲୋକ ମାନଙ୍କୁ ଠିକ ଭାବେ ଚିକିତ୍ସା ମିଳୁନଥିବା ବେଳେ ଅତ୍ୟଧିକ ରୋଗୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର ହେଉଛନ୍ତି । ଅନ୍ୟପଟେ ଦାୟୀତ୍ୱରେ ଥିବା ବାବୁମାନେ କ୍ଲିନିକକୁ ଅଧିକ ଗୁରୁତ୍ୱ ଦେଉଥୁବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ରହୁଥୁବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁସାରେ ଦିନଥିଲା ଏହି ଡାକ୍ତରଖାନା ଉପରେ ପଡୋଶୀ ନୂଆପଡା ,ଛତିଶଗଡ ସହ ଆଖପାଖ ଅଚଂଳର ହଜାର ହଜାର ଲୋକ ନିର୍ଭର କରି ଚିକିତ୍ସା ସେବା ପାଉଥୁଲେ । ବହୁ ଗୁରୁତର ରୋଗୀ ମଧ୍ୟ ଭଳ ହୋଇ ଘରକୁ ଫେରୁଥୁଲେ କିନ୍ତୁ ଏବେ ଆଉ ସେପରି ଚିତ୍ର ଦେଖିବାକୁ ମିଳୁନାହିଁ । ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ମିଳୁନଥିବା ବେଲେ ଡାକ୍ତରଖାନାର ଉନ୍ନତି ହେଉନାହିଁ ।ଏନେଇ ଅନେକ ଥର ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀମାନେ ସ୍ୱର ଉତ୍ତୋଳନ କରି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି ହେଲେ ସମସ୍ୟାର ସାମାଧନା ହୋଇପାରୁନାହିଁ । ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନଥିବାବେଳେ ବହୁ ପଦବୀ ଖାଲି ପଡିଛି । ଏପରିକି ଡାକ୍ତରଖାନା ପରିସରରେ ପରିମଳ ବ୍ୟବସ୍ଥା ଠିକ ରହୁନଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଏପରି ସ୍ଥିତିରେ ଲୋକେ ବାଧ୍ୟ ହୋଇ ଡାକ୍ତରଖାନା ଉପରେ ନିର୍ଭର କରି ଚିକିତ୍ସିତ ହେଉଥୁବା ଦେଖିବାକୁ ମିଳୁଛି । ଅନ୍ୟପଟେ ପାଟଣାଗଡ ଅଂଚଳ ଏକ ଦାଦାନ ପ୍ରବଣ ଆଦିବାସୀ ଅଧ୍ୟୁଷିତ ଅଂଚଳ । ବହୁ ରୋଗୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର ହେଉଥୁବାରୁ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି ।ତେଣୁ ରାଜ୍ୟ ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଏହାର ସାମାଧାନ କରିବାକୁ ଅଚଂଳବାସୀ ଦାବୀ କରିଛନ୍ତି ।