କୋକସରା ବ୍ଳକରେ ଥମୁନି ଦାଦନ ଦୁଃଖ, ପୁଣି ଜଣେ ଓଡ଼ିଆ ଶ୍ରମିକ ଆନ୍ଧ୍ରରେ ମୃତ

କୋକସରା : ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ନପାଇ ଦି ପଇସା ରୋଜଗାର କରିବା ଆଶାରେ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚଳିତ ବର୍ଷ କୋକସରା ବ୍ଲକର ୬ଜଣ ଶ୍ରମିକ ମୃତ୍ୟୁ ହୋଇଥିବା ଖବର ରହିଛି । ତେବେ ଆଜି ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ମୃତ ଶ୍ରମିକ ଜଣକ କୋକସରା ଥାନା କାଶିବାହାଲ ଗ୍ରାମର ମାନସିଂ ପୋଡ(୫୮) ବୋଲି ଜଣାପଡ଼ିଛି ।
ପ୍ରାପ୍ତ ସୂଚନା ଅନୁସାରେ, ମାନସିଂ ନୂଆଖାଇ ପରେ ଗ୍ରାମର କିଛି ଲୋକଙ୍କ ସହିତ କାମ କରିବା ପାଇଁ ସୁଦୁର ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ । ଗୁରୁବାର କାମ କରୁଥିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାନସିଂ ପରିବାର ଲୋକଙ୍କ ସହିତ ଦିନକ ଆଗରୁ ଫୋନ୍‌ ଯୋଗେ କଥା ହୋଇ ୫ଦିନ ପରେ ଘରକୁ ଫେରିବା ପାଇଁ ଖବର ଦେଇଥିଲେ । ଆଜି ତାଙ୍କ ମୃତ୍ୟୁ ହୋଇଥିବା ଖବର ପରିବାର ଲୋକଙ୍କ ପାଖକୁ ଆସିଛି । ଅନ୍ୟପଟେ ମୃତ୍ୟୁର କୌଣସି ସ୍ପଷ୍ଟ ସୂଚନା ମିଲି ପାରିନାହିଁ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ତ୍ରୀ ସଭ୍ୟା ପୋଡ଼ ଓ ୩ ଜଣ ଝିଅ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅନ୍ୟପଟେ ମୃତ ଶ୍ରମିକଙ୍କ ଶବ ନିଜ ଭିଟାମାଟିକୁ ଫେରୁଥିବା ଜଣାପଡିଛି । ରାଜ୍ୟ ବାହାରେ ଶ୍ରମିକଙ୍କ ମୃତ୍ୟୁ ଖବର ଗାଁରେ ପ୍ରଚାରିତ ହେବାପରେ ଗାଁ ପରିବେଶ ଶୋକାକୁଳ ପରିବେଶରେ ପରିଣତ ହୋଇଛି । ଚଳିତ ବର୍ଷ କୋକସରା ବ୍ଳକରେ ଗତ ୧୧ମାସ ମଧ୍ୟରେ ମାନସିଂକୁ ମିସାଇ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Comments (0)
Add Comment