ମହାନଗର ନିଗମ ପକ୍ଷରୁ ଜବରଦଖଲ ହଟାଅ ଅଭିଯାନ ଜାରି

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଗତ କିଛି ଦିନ ହେଲା ସରକାରୀ ଜମିରେ ଅନଧିକୃତ ଭାବେ ବଳପୂର୍ବକ ନିର୍ମିତ ଘର ଭଙ୍ଗା ଅଭିଯାନ ଜାରି ରହିଛି । ଏହି କ୍ରମରେ ଆଜି ସ୍ଥାନୀୟ ଶିକ୍ଷା ନଗରୀ ବୁର୍ଲା ଠାରେ ସଞ୍ଚାରିତ ଅଭିଯାନରେ ୯ଟି ପକ୍କା ଘର ଭାଙ୍ଗି ଦିଆଯାଇଛି । ଏହି ଜବର ଦଖଲକାରୀଙ୍କୁ ଆଗରୁ ସୂଚନା ଦିଆଯାଇ ଥିବାରୁ ସେମାନେ ତାଙ୍କର ଆସବାସ ପତ୍ର ଅନ୍ୟତ୍ର ନେଇଯାଇଥିଲେ ଓ ସେଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି । ଏହି ଅଭିଯାନ ପ୍ରାୟ ମାସେ ପୂର୍ବେ ସମଲେଈ ଯୋଜନା ଅନ୍ତର୍ଗତ ସ୍ଥାନୀୟ ଘୁନଘୁଟିପଡାରୁ ଆରମ୍ଭ ହୋଇଥିଲା ଓ ଦିନେ ଦୁଇ ଦିନ ବ୍ୟବଧାନରେ ଅବ୍ୟାହତ ରହିଛି । ପ୍ରାୟ ସବୁ ସ୍ଥାନରେ ଏହାକୁ ସମ୍ମାନ ଜଣାଇ ଜବରଦଖଲକାରିମାନେ ଘରଭଙ୍ଗା ପୂର୍ବରୁ ସେମାନଙ୍କ ଆସବାସ ପତ୍ର ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତି କିନ୍ତୁ ସ୍ଥାନୀୟ ରାମସାଗର ବନ୍ଧ ପାଖରେ ଏହାର ବିପରୀତ ସେମାନେ ସହଯୋଗ କରି ନ ଥିଲେ ଓ ସ୍ଥିତିରେ କିଛି ଉତ୍ତେଜନା ଦେଖାଯାଇଥିଲା । ଏଭଳି ପରିସ୍ଥିତି ଅନୁମାନ କରି ଏହି ଅଭିଯାନ ସମୟରେ ଡ୍ୟୁଟି ମେଜିଷ୍ର୍ଟ୍ରେଟଙ୍କ ସହିତ ପୁଲିସବଳ ଘଟଣାସ୍ଥଳରେ ଉପସ୍ଥିତ ରହିଥାନ୍ତି ।

Comments (0)
Add Comment