ବଗି ଉପରେ ପଡିଲା ଗଛ,ଅଟକିଲା ଡିଏମୟୁ ଟ୍ରେନ୍‌

ରାୟଗଡା: କାଳବୈଶାଖୀ ପ୍ରଭାବରେ ରାୟଗଡା-ସିଙ୍ଗାପୁର ରୋଡ ଷ୍ଟେସନ ମଧ୍ୟରେ ଅଟକି ଯାଇଥିଲା ଡିଏମୟୁ ଟ୍ରେନ୍‌ । ଟ୍ରେନ୍‌ ବଗି ଉପରେ ପଡିଥିଲା ଏକ ବଡ ଗଛ । ତେବେ ଏଥିରେ କିଛି କ୍ଷତି ହୋଇ ନ ଥିବା ବେଳେ ଦୀର୍ଘ ୩ ଘଂଟା ଧରି ଗାଡି ଅଟକି ରହିବାରୁ ରେଳଯାତ୍ରୀମାନେ ହଇରାଣ ହୋଇଥିଲେ । ଦୀର୍ଘ ଘଂଟା ଧରି ଏହି ରୁଟରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଆଜି ଅପରାହ୍ନରେ ନିଜ ନିର୍ଦ୍ଧାରିତ ସମୟ ଠାରୁ ଦୀର୍ଘ ୨ଘଂଟା ବିଳମ୍ବରେ ରାୟଗଡା ରେଳ ଷ୍ଟେସନରେ ପଂହଚିଥିଲା ବିଶାଖାପାଟଣମ୍‌-କୋରାପୁଟ ଡିଏମୟୁ ଟ୍ରେନ୍‌ । ଅପରାହ୍ନ ସାଢେ ୨ଟାରେ ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିବା ବେଳେ ଏହି ସମୟରେ କାଳବୈଶାଖୀ ପ୍ରଭାବରେ ଜାରି ରହିଥିଲା ପ୍ରବଳ ଝଡବର୍ଷା । ଫଳରେ ରାୟଗଡା – ସିଙ୍ଗାପୁର ରୋଡ ଷ୍ଟେସନ ମଧ୍ୟରେ ଥିବା କିଲୋମିଟର ୩୩୫/୬ ଠାରେ ଟ୍ରେନ୍‌ ଅତିକ୍ରମ କରୁଥିବା ସମୟରେ ରେଳଧାରଣା କଡରେ ଥିବା ଏକ ଗଛଟି ଟ୍ରେନ୍‌ ବଗି ଉପରେ ପଡିଯାଇଥିଲା । ଟ୍ରେନଟି ସେଠାରେ ଅଟକି ରହିଥିବା ବେଳେ ଖବର ପାଇ ରାୟଗଡା ରେଳବାଇ ବିଭାଗର ପିଆରଡି ଓ ଇଂଜିନିୟରିଂ ଟିମ୍‌ ଘଟଣା ସ୍ଥଳରେ ପଂହଚି ଭାଙ୍ଗି ପଡିଥିବା ଗଛଟିକୁ କାଟି ବାହାର କରିବା ସହ ବିଦ୍ୟୁତ୍‌ ଲାଇନକୁ ମରାମତି କରିଥିଲେ । ଅପରାହ୍ନ ସାଢେ ୫ଟା ସୁଦ୍ଧା ସମସ୍ତ କାର୍ୟ୍ୟ ଶେଷ ହେବା ପରେ ପୁଣି ଟ୍ରେନଟି କୋରାପୁଟ ଅଭିମୁଖେ ବାହାରିଥିଲା ।

Comments (0)
Add Comment