ଜାତିଆଣ ନେଇ ଶବ ପଡିରହିଲା ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ, ଶବ ସତ୍କାର କଲେ ସ୍ୱେଚ୍ଛାସେବୀ

ଜହ୍ନାପଙ୍କ: ବର୍ତ୍ତମାନ ସଭ୍ୟ ସମାଜରେ ଅନେକ କୁସଂସ୍କାର ରହିଥିବା ଦେଖିବାକୁ ମିଳିଛି । ମଣିଷ ଯାଇ ଚନ୍ଦ୍ର ପୃଷ୍ଠରେ ରହିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ବର୍ତ୍ତମାନ ସଭ୍ୟ ସମାଜରେ ମଧ୍ୟ କୁସଂସ୍କାର ଯୋଗୁଁ ଜାତିଆଣ ଭାବକୁ ନେଇ ଶବକୁ ନ ଛୁଇଁବା ଭଳି ଏକ ଘଟଣା ବୌଦ୍ଧ ବ୍ଳକ ବଢିଗାଁ ପଞ୍ଚାୟତ ଅନ୍ତର୍ଗତ ବଲାସିଙ୍ଗା ଗ୍ରାମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନା ମତେ ବଲାସିଙ୍ଗା ଗ୍ରାମର ଜାତୀୟ ରାଜପଥ ୫୭ନଂ କଡରେ ରହୁଥିବା ୮୫ବର୍ଷୀୟା ବୃଦ୍ଧା ସୁଲଭ ପ୍ରଧାନ ସ୍ୱାମୀଙ୍କ ମୃତ୍ୟୁ ପରେ ଏକ ମାତ୍ର ଝିଅଙ୍କ ସହିତ ଏକୁଟିଆ ରହୁଥିବା ବେଳେ କିଛି ବର୍ଷ ତଳେ ଝିଅଟି ଅନ୍ୟ ଜାତିରେ ପ୍ରେମ ବିବାହ କରି ବୌଦ୍ଧ ଥାନା ସୁବଳିୟା ଗ୍ରାମରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ସୁଲଭ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ସକାଳୁ ଗ୍ରାମବାସୀ ଜାଣିବା ପରେ ଜାତିଆଣ ନିୟମକୁ ନେଇ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର ପାଇଁ ଜାତି ଭାଇ ଓ ଗ୍ରାମବାସୀ ରାଜି ନ ହେବାରୁ ଶବଟି ଦୀର୍ଘ ୧୨ଘଣ୍ଟାରୁ ଉର୍ଦ୍ଧ୍ୱ ପଡିରହିଥିଲା । ଗ୍ରାମବାସୀଙ୍କ ଠାରୁ ଖବରପାଇ ବୌଦ୍ଧ ବୁଟୁପାଲି ସ୍ଥିତ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଶବଦାହ ପାଇଁ ବଲାସିଙ୍ଗା ଗ୍ରାମରେ ପହଞ୍ଚିଥିଲେ । ଅପର ପକ୍ଷେ ତାଙ୍କର ଝିଅ ଗାଁ ରେ ପହଞ୍ଚି ଶବ ସତ୍କାର ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ଅନୁମତି ଦେବାରୁ ଗାଁ ସ୍ମଶାନରେ ବୃଦ୍ଧାଙ୍କ ସବ ସତ୍କାର କରାଯାଇଥିଲା । ସୂଚନା ମତେ ପୂର୍ବରୁ ଜାତିଆଣ ଭାବକୁ ନେଇ ୨୦୧୮ମସିହା ଅଗଷ୍ଟ ୧ ତାରିଖରେ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପାଲି ଗ୍ରାମର ଚତୁର୍ଭୁଜ ବାଙ୍କଙ୍କ ଶାଳୀ ମୃତ୍ୟୁ ପରେ ଜାତିଭାଇ ଓ ଗ୍ରାମବାସୀ କାନ୍ଧ ନ ଦେବାରୁ ଭିଣୋଇ ଚତୁର୍ଭୁଜ ବାଙ୍କ ନିଜ ଶାଳୀର ଶବକୁ ସାଇକେଲରେ ନେଇ ନିକଟସ୍ଥ ପଡ଼ିଆରେ ପୋତି ଦେଇଥିବା ଘଟଣା ସାରାଓଡ଼ିଶାରେ ଚହଳ ପକେଇ ଦେଇଥିଲା । ତେବେ ଶାନ୍ତି ଓ ମୈତ୍ରୀର ପ୍ରତୀକ ବୁଦ୍ଧଦେବଙ୍କ ନାମରେ ନାମିତ ବୌଦ୍ଧ ଭଳି ଏକ ଶାନ୍ତ ଜିଲ୍ଲାରେ ଏଭଳି ସ୍ପର୍ଶ କାତରତା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରିଛନ୍ତି ।

Comments (0)
Add Comment