ଦଶପଲ୍ଲା : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆକ୍ତାମାକ୍ତ ଦଶପଲ୍ଲା । ସକାଳ ୧୦ଟାରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଘରେ ବାହାରେ ଯୁଆଡ଼େ ଯିବ ଖାଲି ତାତି ଆଉ ତାତି। ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ମଧ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଦୁଇ ଦିନ ହେଲା ୩୩କେଭି ବିଦ୍ୟୁତ୍ କାର୍ଯ୍ୟ ପାଇଁ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଘୋଷିତ ବିଦ୍ୟୁତ୍ କାଟକୁ ଲୋକେ ବାଧ୍ୟବାଧକତା ମଧ୍ୟରେ ଗ୍ରହଣ କରିନେଉଥିବା ବେଳେ ଗୁରୁବାର ଦିନ ଘୋଷିତ ବିଦ୍ୟୁତ୍ କାଟ୍ ସମୟ ପରେ ବିଳମ୍ବିତ , ଅପରାହ୍ନ ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ କାଟ୍ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା। ଦ୍ବିପ୍ରହର ସମୟରେ ତଥା ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳି ସମୟରେ ଏଭଳି ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଡହଳବିକଳ ହୋଇ ପଡିଥିଲେ । ଖରାଦିନେ ବିଦ୍ୟୁତ୍ କାଟ୍କୁ ‘ନା’ ବୋଲି ସରକାରୀ ସ୍ତରରେ ଘୋଷଣା କରାଯାଉଥିବା ବେଳେ ଦଶପଲ୍ଲାରେ ଏଭଳି ବିଦ୍ୟୁତ୍ କାଟ୍ ସାଧାରଣରେ କିଭଳି ବାର୍ତ୍ତା ଦେଉଥିବ ତାହା ,ସହଯେ ଅନୁମେୟ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଅନିବାର୍ଯ୍ୟ ହୋଇ ପଡିଛି