ଶ୍ରୀମନ୍ଦିର ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି । ଏଥିସହ ମା ମହାଲକ୍ଷ୍ମୀ ଓ ମା ବିମଳାଙ୍କୁ ମଧ୍ୟ ଦର୍ଶନକରିଛନ୍ତି । ନୀଳଚକ୍ର ଉପରେ ବାନା ବାନ୍ଧିବାର ଦୃଶ୍ୟ ଦେଖିଛନ୍ତି । କୌଳିକ ପଣ୍ଡା ଦ୍ୱାରା ବାପାଙ୍କ ଦସ୍ତଖତ ଦେଖି ହୋଇଥିଲେ ଅଭିଭୂତ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ପ୍ରତିକୃତି ଥିବା ଫଳକ ପ୍ରଦାନ କରାଯାଇଛି ।


ଭାରତର ମହାମହିମ ରାଷ୍ଟ୍ରପତି କଡା ସୁରକ୍ଷା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଯାଇଛନ୍ତି । ବର୍ଷେ ପରେ ପୁଣିଥରେ ମହାପ୍ରଭୁଙ୍କ ଡାକରା ପାଇ ତୃତୀୟ ଥର ପାଇଁ ପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇପଡିଥିଲେ । ମାନସିକ କରି ୧୪ ହାତିଆ ବାନା ବାନ୍ଧି ଥିଲେ କୌଳିକ ପଣ୍ଡା । ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ମଧ୍ୟ ରାଷ୍ଟ୍ରପତିଙ୍କ ପାଇଁ ଆଉ ଏକ ବାନା ବାନ୍ଧିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଅପରାହ୍ନ ୩.୧୦ରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ନିଜ ସ୍ତ୍ରୀ ସବିତା କୋବିନ୍ଦ ଓ ପରିବାର ଲୋକଙ୍କ ସହ ତାଳବଣିଆ ହେଲିପ୍ୟାଡ,ପରେ କାରକେଡ ଯୋଗେ ରାଜ୍ୟପାଳ ଭବନ ଓ ଠିକ୍‌ ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ମହାନାୟକ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ସେ ଘଣ୍ଟିଦ୍ୱାର ଦେଇ ଗର୍ଭଗୃହ ଭିତରକୁ ଯାଇ ରତ୍ନସିଂହାସନସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ମା ବିମଳା ଓ ମା ମହଲଷ୍ମୀଙ୍କୁ ଦର୍ଶନ କରିଥିଲେ । ଗର୍ଭଗୃହ ଭିତରେ ଦର୍ଶନ ବେଳେ ରାଷ୍ଟ୍ରପତି ଭାବବିହ୍ୱଳ ହୋଇପଡ଼ିଥିଲେ । ନିଜ କୋଳିକ ପଣ୍ଡାଙ୍କୁ ଦକ୍ଷିଣା ଦେବା ସହ ଏକ ୧୪ ହାତିଆ ବାନା ମଧ୍ୟ ବାନ୍ଧିଥିଲେ ।


ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବେଳେ ଓ ପରେ ହାତ ହଲାଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବାର ହାତର ଲାଲ ରଙ୍ଗର ଏକ ବାନା ଲଗାଯାଇଛି । ବିଶ୍ୱକଲ୍ୟାଣ ପାଇଁ ରାଷ୍ଟ୍ରପତି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଦର୍ଶନ ପରେ ସେ ରାଜଭବନ ଅଭିମୁଖେ ଯାଇ ଆଜି ରାତିରେ ସେଠାରେ ଅବସ୍ଥାପନ କରିବେ । ଆସନ୍ତାକାଲି ଶ୍ରୀଚୈତନ୍ୟ ଗୌଡିୟ ମଠର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Comments (0)
Add Comment