ଭୁବନେଶ୍ବର:ତା.୦୯.୧୧.୨୦୨୨- ଚିଠା ଭୋଟର ତାଲିକା ୨୦୨୩ ପ୍ରକାଶ ପାଇବା ପୁର୍ବରୁ ୧୭ ବର୍ଷ ବୟସରୁ ଉର୍ଦ୍ଧ୍ବ ନୂତନ ଯୁବ ମତଦାତା ମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଓ ଭୋଟର ତାଲିକା ସଂଶୋଧନ ନେଇ ଭୁବନେଶ୍ବରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ରାଜ୍ୟ ସ୍ତରୀୟ ବିଶାଳ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୀକାରୀ ଶ୍ରୀ ସୁଶିଲ କୁମାର ଲୋହାନୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ବାହାରି ପିଏମଜି ଛକ ଦେଇ ରବୀନ୍ଦ୍ର ମଣ୍ଡପ ପାଖ ଦେଇ ୧୨୦ ବାଟାଲିୟନ, ପାୱାରହାଉସ ଛକ, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହୋଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶେଷରେ ପହଞ୍ଚିଥିଲା । ଉକ୍ତ ସଚେତନତା ପଦଯାତ୍ରାରେ ଘୋଡାନାଚ ଓ ପାଇକ ଆଖଡା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍ଏସ୍ଏସ୍, ସ୍କାଉଟ୍, ଗାଇଡ୍, ବୁଦ୍ଧିଜୀବୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ପଦାଧିକାରୀମାନେ ସାମିଲ ହୋଇଥିଲେ । ଏହି ଅବସରରେ ଖୋରଧା ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ଶତପଥୀ, ଖୋରଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ,ଉପ ଜିଲ୍ଲାପାଳ ଶ୍ରୀ ଦେବବ୍ରତ୍ତ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
୨୦୨୩ ବର୍ଷ ପାଇଁ ନୂତନ ଓ ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ନଭେମ୍ବର ୯ ତାରିଖ ଠାରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି । ବିଶେଷ କରି ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞିକରଣ ପାଇଁ ବ୍ୟାପକ ସଚେତନ କରାଯିବା ସହ ୧୭ ବର୍ଷ ରୁ ଉର୍ଦ୍ଧ୍ବ ନାଗରିକ ମାନଙ୍କୁ ଆବେଦନ ପତ୍ର ଦାଖଲରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଶ୍ରୀ ଲୋହାନୀ କହିଥିଲେ । ଗୋଟିଏ ବର୍ଷରେ ୪ ଥର ଅର୍ଥାତ ଜାନୁଆରୀ ୧,ଅପ୍ରେଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖକୁ ଯୋଗ୍ୟତା ସୂଚକ ତାରିଖ ଧରାଯାଇ ନୂତନ ଭୋଟର ମାନେ ଭୋଟର ତାଲିକାରେ ନାମ ଅନ୍ତଭୁକ୍ତ କରିବା ପାଇଁ ୬ ନମ୍ବର ଫର୍ମରେ ଆବେଦନ କରିପାରିବେ ବୋଲି ସେ କହିଥିଲେ । ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଫର୍ମ ନଂ ୬, ପ୍ରବାସୀ ଭାରତୀୟ ଭାବେ ନାମ ପଞିକରଣ ପାଇଁ ଫର୍ମ ୬ କ, ଭୋଟର ତାଲିକା ସହ ଆଧାର ସଂଯୋଗ ପାଇଁ ଫର୍ମ ନଂ ୬ ଖ,ନାମ ବାଦ ଦେବା ପାଇଁ ଫର୍ମ ନଂ ୭ ଓ ଭୋଟର ତାଲିକାରେ ତୃଟି ସଂଶୋଧନ ପାଇଁ ଫର୍ମ ନଂ ୮ କୁ ଉପଯୋଗ କରିପାରିବେ ।
ଚଳିତ ମାସ ୧୨ ଓ ୧୩ ଏବଂ ୨୬ ଓ ୨୭ ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ଏହି ଦିନରେ ସମସ୍ତ ବୁଥରେ ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଭୋଟର ମାନଙ୍କୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ରେ ସହଯୋଗ କରିବେ ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଥିଲେ । ଏଥି ସହିତ ଭୋଟର ତାଲିକାରେ ନାମ ପଞିକରଣ ପାଇଁ ଆଶାୟୀ ଭୋଟର ମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପ ଲାଇନ ଆପ୍ ଡାଉନଲୋଡ଼ କରି ନିଜେ ଆବେଦନ କରିପାରିବେ । ନିକଟସ୍ଥ ବୁଥ ସ୍ତରୀୟ ଅଧିକାରୀ ଙ୍କ ସହଯୋଗରେ ଗରୁଡ଼ ଆପ୍ ମାଧ୍ୟମରେ ମଧ୍ୟ ପଞିକରଣ କରିପାରିବେ । ଏଥି ନିମନ୍ତେ ସମସ୍ତ ଜିଲ୍ଲାରେ ସଚେତନତା ସୃଷ୍ଟି କରାଯିବ ବୋଲି ସେ କହିଥିଲେ ।
ଏଥିସହ ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ ନିଜ ଫଟୋ, ଆବାସିକ ପ୍ରମାଣପତ୍ର ଅପଲୋଡ କରି ପଞ୍ଜିକରଣ କରାଯାଇ ପାରିବ । ଭୋଟର କାର୍ଡ ପାଇଁ କେୌଣସି ଅଫିସକୁ ଯିବାକୁ ପଡିବିନି । ସ୍ପିଡ ପୋଷ୍ଟରେ ଘରେ ଭୋଟର ପରିଚୟ ପତ୍ର ପହଞ୍ଚାଇବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏଥିସହ ଭୋଟର ପରିଚୟ ପତ୍ର ସହ ସ୍ବେଚ୍ଛାକୃତ ଭାବେ ଆଧାର ତଥ୍ୟ ସଂଯୋଗ ପ୍ରକ୍ରିୟାକୁ ମଧ୍ୟ ସାରା ରାଜ୍ୟରେ ତ୍ବରାନ୍ବିତ କରାଯାଇଥିବା ଶ୍ରୀ ଲୋହାନୀ କହିଥିଲେ ।