ପୌର ନିର୍ବାଚନ;ଭୋଟରଙ୍କ ପାଇଁ ବିକଳ୍ପ ରହିବ ନୋଟା

ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ପୌର ପରିଷଦ ଓ ମହାନଗର ନିଗମ ଗୁଡିକର ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆଜି ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନରେ ଭୋଟ ଗ୍ରହଣ ସମୟରେ ବ୍ୟବହାର ହେବାକୁ ଥିବା ଇଭିଏମରେ ଭୋଟର ମାନଙ୍କ ପାଇଁ ନୋଟା ବିକଳ୍ପ ରଖାଯିବ ବୋଲି ସୂଚନା ଦେଇଛନ୍ତି । ସମ୍ବିଧାର ଧାରା ୨୪୩ ଜେଡ୍‌ ଏରେ ଦିଆଯାଇଥିବା କ୍ଷମତାର ଉପଯୋଗ କରି କମିଶନ ଏହି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖ କରାଯାଇପାରେ ଯେ ଇଭିଏମ୍‌ରେ ନୋଟା ବ୍ୟବହାର ସାଧାଣତଃ ବିଧାନସଭା ଓ ଲୋକ ସଭା ନିର୍ବାଚନ ବେଳେ ବ୍ୟବହାର କରାଯାଏ । ମାତ୍ର ଆସନ୍ତା ପୌର ନିର୍ବାଚନରେ ଲୋକସଭା ଓ ବିଧାନସଭା ନିର୍ବାଚନ ଭଳି ଇଭିଏମ୍‌ ମେସିନ୍‌ରେ ଭୋଟରଙ୍କ ପାଇଁ ନୋଟା ବ୍ୟବସ୍ଥା ଲାଗି ନୋଟା ଲେଖାଯାଇଥିବା ଏକ ଚିହ୍ନ ରହିବ । ନିର୍ବାଚନରେ ଗୋଟିଏ ବୁଥରେ ଯେଉଁ ପ୍ରାର୍ଥୀମାନେ ଅବତୀର୍ଣ୍ଣ ହୋଇଥିବେ ସେମାନଙ୍କ ନାଁ ଓ ଚିହ୍ନ ରହିବା ସହିତ ଶେଷରେ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହଁନ୍ତି (ନୋଟା) ରହିବ । ଅର୍ଥାତ ଜଣେ ଭୋଟର ତାହାର ମନପସନ୍ଦର ପ୍ରାର୍ଥୀ ଯଦି ଇଭିଏମ୍‌ ମେସିନ୍‌ରୁ ନପାଏ ତେବେ ସେ ନୋଟାରେ ଭୋଟ ଦେଇ ପାରିବ । ଏହା ଦ୍ୱାରା ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବା ସହ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନେ କେହି ତାଙ୍କର ପସନ୍ଦ ନୁହେଁ ବୋଲି ସେ ଜଣାଇଦେବେ । ସୂଚନାଯୋଗ୍ୟ ଗତକାଲି ରାଜ୍ୟ ନିର୍ବାଚନ ଆୟୋଗ ସବୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଡାକି ଆବଶ୍ୟକ ଆଲୋଚନା କରିଥିଲେ । ଏହି ସର୍ବଦଳୀୟ ବୈଠକରେ ସବୁ ରାଜନୈତିକ ଦଳ ଗୁଡିକ ସେମାନଙ୍କ ଦଳ ଗତ ମତ କମିଶନଙ୍କ ନିକଟରେ ରଖିଥିଲେ । ବୈଠକରେ ନିର୍ବାଚନ ସମୟରେ ଇଭିଏମ୍‌ ମେସିନ ଓ ନୋଟା ବ୍ୟବହାର ନେଇ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାସହ ଆଶାୟୀ ପ୍ରାର୍ଥୀମାନେ ପାର୍ଥୀପତ୍ର ଦାଖଲ କରିବା ବେଳେ ସତ୍ୟପାଠ ଦାଖଲ କରିବା ପାଇଁ ମଧ୍ୟ କୁହାଯିବା ସହ କେଉଁ ପ୍ରାର୍ଥୀ କେତେ ଅର୍ଥ ଖର୍ଚ୍ଚ କରିବେ ସେ କଥା କମିଶନଙ୍କ ପକ୍ଷରୁ ରାଜନୈତିକ ଦଳଗୁଡିକୁ ସୂଚାଇ ଦିଆଯାଇଥିଲା ।

Comments (0)
Add Comment