କୋରାପୁଟ : କୋରାପୁଟର ଦଶମନ୍ତପୁର ବ୍ଲକ ମାଝୀଗୁଡ଼ା ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାଢରେ ଜମିଥିବା ପାଣିରେ ବୁଡି ୪ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ପ୍ରଥମେ ୨ ଜଣ ପ୍ରାଣ ହରାଇଥିଲେ ଏବଂ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କର ପରେ ହସପିଟାଲରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ରାସ୍ତା କାମ ପାଇଁ ଜେସିବି ଦ୍ୱାରା ବଡ ଗାତ ଖୋଳା ଯାଇଥିଲା । ଗତକାଲି ରାତିରେ ପ୍ରବଳ ବର୍ଷା ହେବାରୁ ଗାଢରେ ପାଣି ଭର୍ତ୍ତି ହୋଇଯାଇଥିଲା । ଆଜି କିଛି ଛୋଟ ପିଲା ଉକ୍ତ ଗାଢ ନିକଟରେ ଥିବା ଉଚ୍ଚସ୍ଥାନରେ ଖେଳୁଥିଲେ । ଅସାବଧାନତା ଯୋଗୁ ଉକ୍ତ ପାଣି ଭର୍ତ୍ତି ଗାଢ ମଧ୍ୟକୁ ଖସି ପଡିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ଭର୍ତ୍ତି ଗାଢ ମଧ୍ୟରୁ ପିଲାମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ହେଲେ ସେତେବେଳକୁ ୨ ଜଣ ନାବାଳକଙ୍କ ଜୀବନ ଯାଇ ସାରିଥିଲା । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍ଖର ମୃତ୍ୟୁ ଘଟିଥଲା । ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗାଢରୁ ପାଣି ବାହାର କରି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ଉଦ୍ଧାର କାର୍ଯ୍ୟ ପରେ ବିସ୍ତୃତ ତଥ୍ୟ ପ୍ରଶାସନ ପକ୍ଷରୁ ଦିଆଯିବ ବୋଲି ଜଣାପଡିଛି । ଘଟଣାସ୍ଥଳରେ କୋରାପୁଟ ଏସଡିପିଓ ଓ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।