ସମ୍ବଲପୁର: ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଅନନ୍ୟା ଦାସ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୫ ବ୍ୟାଚର ଆଇଏଏସ ଅଫିସର ଓ ଭାରତୀୟ ପ୍ରଶାସନିକ ସେବାରେ ସର୍ବଭାରତୀୟ ସ୍ତରରେ ୧୬ତମ ସ୍ଥାନ ଅଧିକାର କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ନୂତନ ଜିଲ୍ଲାପାଳଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଅନନ୍ୟା ଦାସ ଏହା ପୂର୍ବରୁ ପ୍ରକଳ୍ପ ନିର୍ଦ୍ଦେଶକ ଡୁଡା କୋରାପୁଟ, ଏବଂ କଟକ ମହାନଗର ନିଗମର ଆୟୁକ୍ତ ଭାବେ କାର୍ଯ୍ୟ କରି ନିଜର ଦକ୍ଷତାର ପରିଚୟ ଦେଇ ଆସି ଅଛନ୍ତି । ଆଜିକାର ପ୍ରଥମ ଦିନରେ ବିଭିନ୍ନ ଜିଲ୍ଳାସ୍ତରୀୟ ଅଧିକାରୀଙ୍କ ସହ ଏକ ଅନୌପଚାରିକ ଆଲୋଚନା କରିବା ସହ ଜନସାଧାରଣଙ୍କ ପ୍ରୀତିଭାଜନ ହେବା ସହ ପ୍ରଶାସନିକ କ୍ଷେତ୍ରରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗେଇ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଥମେ ଜିଲ୍ଲାପାଳ ସମ୍ବଲପୁର ଅଧଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କୁ ଦର୍ଶନ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଜିଲ୍ଲାରେ ଚାଲିଥିବା ବିଭିନ୍ନ ଅଧୁରା କାମ ସବୁ ଆଗେଇ ନେବା ସହ ନୂତନ ପ୍ରକଳ୍ପ ହାତକୁ ନେଇ ଏହି ଜିଲ୍ଲାକୁ ସର୍ବଶ୍ରେଷ୍ଠ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ନୂତନ ଜିଲ୍ଲାପାଳ କହିଛନ୍ତି ।