ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଆଜିର ବୈଠକରେ ଶ୍ରୀମନ୍ଦିରର ନାଟମଣ୍ଡପ ମରାମତି ସମ୍ପର୍କରେ ଏଏସଆଇ ପକ୍ଷରୁ ଅବଗତ କରାଯାଇଥିଲା । ନାଟମଣ୍ଡପର ଫାଟ ଥିବା ବିମ୍ ର ମରାମତି କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ବେଳେ ଏହାକୁ ସପୋର୍ଟ ଦେବା ପାଇଁ ଷ୍ଟେନ୍ ଲେସ୍ ରେ ନିର୍ମିତ ସ୍ୱତନ୍ତ୍ର ବିମ୍ ଖୁବଶୀଘ୍ର ଲଗାଯିବ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ନାଟମଣ୍ଡପର ଅନ୍ୟାନ୍ୟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ଏଏସଆଇ ପକ୍ଷରୁ କୁହାଯାଇଛି । ସେପଟେ ଏମାର ମଠ ନିକଟରେ ନିର୍ମାଣ ହେଉଥିବା ଅଭ୍ୟର୍ଥନା କେନ୍ଦ୍ର ଏବଂ ରଘୁନନ୍ଦନ ପାଠାଗାର ପାଇଁ ଏନ୍ ଏମ୍ ଏ ପକ୍ଷରୁ ଅନୁମତି ମିଳିଥିବା ଏଏସାଆଇ ପକ୍ଷରୁ ସ୍ପଷ୍ଠ କରାଯାଇଛି । ତେବେ ଏମାର ମଠରେ ହୋଇଥିବା ଜିପିଆରଏସ୍ ସର୍ଭେ ରିପୋର୍ଟ ଏଏସଆଇକୁ ଓବିସିସି ପ୍ରଦାନ କରିନଥିବା ସ୍ପଷ୍ଟ କରିଛନ୍ତି ଏଏସଆଇ ସୁପରିଟେଣ୍ଡଣ୍ଟ ଡି.ବି. ଗଡ଼ନାୟକ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାହାର ପାର୍ଶ୍ୱ କାନ୍ଥରେ ହୋଇଥିବା ଲେଜର ସ୍କାନିଂ ରିପୋର୍ଟକୁ ଆଜି ଏଏସଆଇ ପକ୍ଷରୁ ଉପସ୍ଥାପନ କରାଯାଇଥିଲା । ରତ୍ନଭଣ୍ଡାରର ବାହାର ପାର୍ଶ୍ୱ କାନ୍ଥରେ କିଛି ଫାଟ ଥିବା ଲେଜର ସ୍କାନିଂ ରିପୋର୍ଟରୁ ଜଣାପଡିଥିବା ବେଳେ ଏହା ପ୍ଲାଷ୍ଟରରେ ଫାଟ ନା କାନ୍ଥରେ ଫାଟ ସୃଷ୍ଟି ହୋଇଛି ସେ ନେଇ ତର୍ଜମା କରିବା ପାଇଁ ଏକ ସ୍ୱତନ୍ତ୍ର ବୈଷୟିକ କମିଟି କୁ ରିପୋର୍ଟ ତର୍ଜମା ପାଇଁ ଦାୟିତ୍ୱ ଦିଆଯାଇଛି । ବୈଷୟିକ କମିଟିର ନିଷ୍ପତ୍ତି ଆସିବା ପରେ ଆଗାମୀ ବର୍ଷା ଦିନ ପୂର୍ବରୁ ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥର ପ୍ଲାଷ୍ଟରକୁ ଛଡା ଯାଇ ନୂତନ ପ୍ଲାଷ୍ଟର କରାଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ । ତେବେ ଭିତର ରତ୍ନଭଣ୍ଡାର ର ମରାମତି ଜରୁରୀ ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଆସିଲେ ଏ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ ।
ସେହିପରି ଅବଢ଼ା ଯୋଜନାରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ପରିଚାଳନା କମିଟି ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ନୀତି କାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ, ସେବାୟତ କଲ୍ୟାଣ ଯୋଜନା, ଗୁରୁକୂଳ ପ୍ରକଳ୍ପକୁ ନେଇ ଗଠନ ହୋଇଥିବା ବିଭିନ୍ନ ସବ୍ କମିଟିର ନିଷ୍ପତ୍ତିକୁ ମଧ୍ୟ ସବିଶେଷ ଭାବରେ ଆଲୋଚନା ହୋଇଥିଲା । ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାରର ଗଣତି, ମଣତି ପାଇଁ ମୁଖ୍ୟମନ୍ତ୍ରୀ ଗଠନ କରିଥିବା ୧୨ ଜଣିଆ ସ୍ୱତନ୍ତ୍ର କମିଟିକୁ ସ୍ୱାଗତ କରିଛନ୍ତି ସେବାୟତ । ଆଗାମୀ ରଥଯାତ୍ରା ରେ ମହାପ୍ରଭୁ ରତ୍ନସିଂହାସନରେ ନଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସଠିକ୍ ସମୟ ହେବ ବୋଲି ସେବାୟତ କହିଛନ୍ତି ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଏଏସଆଇ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଓବିସିସି ଅଧିକାରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
