ନବରଙ୍ଗପୁର: ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାୟପୁର ଏନଏଚଏମଏଏମଆଇ ନାରାୟଣ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ହୃଦ୍ ରୋଗୀଙ୍କ ମାଗଣା ଚିକିତ୍ସା ଶିବିର ନବରଙ୍ଗପୁର ଜିଲ୍ଲା ସଦର ମହକୁମା ହସ୍ପିଟାଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ହୃଦ୍ ରୋଗ ବିଶେଷଜ୍ଞମାନଙ୍କ ଦ୍ୱାରା ଜନ୍ମରୁ ୧୮ ବର୍ଷ ବୟସ ଶିଶୁଙ୍କୁ ପ୍ରାୟ ୧୫୦ ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇଥିଲା । ଏଥିରେ ଯେଉଁ ମାନେ ହୃଦ୍ ରୋଗ ସମସ୍ୟା ଚିହ୍ନଟ ହେବେ ସେମାନଙ୍କୁ ରାୟପୁର ଠାରେ ନାରାୟଣ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରାଯିବ । ଯଦି ସେଠାରେ କୌଣସି କାରଣରୁ ଭଲ ନ ହୁଅନ୍ତି, ତାହେଲେ ବାଙ୍ଗାଲୋର ଠାରେ ଥିବା ନାରାୟଣ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲକୁ ଏହି କାର୍ଯ୍ୟକ୍ରମ ଅଧୀନରେ ପଠା ଯିବ । ସ୍କ୍ରିନିଂ କରାଯିବା ପରେ ଚିହ୍ନଟ ହୃଦ୍ ରୋଗୀଙ୍କୁ ସିଡିଏମଓ ଡା. କାଳି ପ୍ରସାଦ ବେହେରା ରାୟପୁର ପଠାଇବାର ବ୍ୟବସ୍ଥା କରିବେ । ଏଭଳି ବ୍ୟୟ ବହୁଳ ଚିକିତ୍ସାକୁ ମାଗଣାରେ ଉପଲବ୍ଧ କରିବାରୁ ଜିଲ୍ଲାପାଳ ଓ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହୃଦ୍ ରୋଗ ବିଶେଷଜ୍ଞ ଡ଼ଃ. ସୁମନ୍ତ ଶେଖର ପାଢ଼ୀ, ଡ଼ଃ. କିଞ୍ଜଲ ବକ୍ସି, ସିଡିଏମଓ ଡ . କାଳି ଚରଣ ବେହେରା, ଏଡିଏମଓ ଡ. କାହ୍ନୁ ଚରଣ ପାତ୍ର, ଏଡିପିଏଚ୍ଓ ନୀଳମଣି ବେହେରା, ସିପିଏମ ସୁଶାନ୍ତ ପ୍ରହରାଜ, ଡ଼ଃ. ସଂଘମିତ୍ରା ମହାପାତ୍ର, ଡ. ଶିବାନୀ ଚୌଧୁରୀ, ଆରବିଏସକେ ଫିରୋଜ୍ ବାଘ ଡ. କୁନାଲ ମହାନ୍ତି, ଏମଏଚ୍ଟି ଓ ଡିଇଆଇସି ଷ୍ଟାଫ ଏବଂ ଆରବିଏସକେ ଷ୍ଟାଫ୍ ପ୍ରମୁଖ ଭାଗ ନେଇଥିଲେ ।