ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପାକ୍ଷରୁ ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ପ୍ରକାଶ ପାଇଲା ଛୁଟି ତାଲିକା। ୨୦୨୬ରେ ୨୯ଟି ସରକାରୀ ଛୁଟି ରହିଛି । ଏଥିରୁ ୬ଟି ଛୁଟି ଦ୍ୱିତୀୟ ଶନିବାର ଓ ରବିବାରରେ ପଡ଼ୁଥିବାରୁ ଅଯଥାରେ ଚାଲିଯିବ। ସେହିପରି ନୂଆଖାଇ ପାଇଁ ଦୁଇ ଦିନ ଛୁଟି କରିଛନ୍ତି ସରକାର । ଏଥିସହ ୯ଟି ଇଚ୍ଛାଧୀନ ଛୁଟି ଘୋଷଣା ହୋଇଛି । ଯେଉଁଥିରୁ ସରକାରୀ କର୍ମଚାରୀ ଗୋଟିଏ ଛୁଟି ନେଇପାରିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସରକାରୀ ଛୁଟି ତାଲିକା ପ୍ରକାଶ କରାଯାଇଛି ।
ନୂଆଖାଇ ପାଇଁ ଆସନ୍ତା ବର୍ଷ ସେପ୍ଟେମ୍ବର ୧୫ ତାରିଖ ଓ ଏହାର ପରଦିନ (୧୬ ତାରିଖ)କୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ବର୍ଷର ୨୯ ଛୁଟିରୁ ୫ଦିନ ରବିବାର ଓ ଗୋଟିଏ ଦିନ ଦ୍ୱିତୀୟ ଶନିବାର ପଡୁ଼ଛି । ଫେବ୍ରୁଆରୀ ୧୫ ତାରିଖରେ ମହା ଶିବରାତ୍ରି ଥିବା ବେଳେ ଏହି ଦିନ ରବିବାର ପଡୁ଼ଛି । ଜୁନ୍ ୧୪ରେ ପହିଲି ରଜ, ଅକ୍ଟୋବର ୧୮ରେ ମହାଷ୍ଟମୀ, ଅକ୍ଟୋବର ୨୫ରେ କୁମାର ପୂର୍ଣ୍ଣିମା ଓ ନଭେମ୍ବର ୮ରେ ଦୀପାବଳି ଆଦି ଛୁଟି ରବିବାର ଦିନ ପଡୁ଼ଛି । ସେହିପରି ଅକ୍ଟୋବର ୧୦ରେ ମହାଳୟା ଦ୍ୱିତୀୟ ଶନିବାର ପଡୁ଼ଛି । ଫଳରେ ସରକାରୀ କର୍ମଚାରୀଙ୍କ ୬ ଦିନ ଛୁଟି ନଷ୍ଟ ହେଉଛି।