ପୁରୀ: ଯୁବ ବିଜେଡି ନେତା ତଥା ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କୁମ୍ଭାରପଡା ଥାନା ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କପ ସାହୁଙ୍କୁ ହତ୍ୟା ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା କହିଛି ପୋଲିସ । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଅବକାଶ ଲେନର ବାବୁ ପ୍ରଧାନ, ପିକେଡିଏ କଲୋନୀର ସୁନୀଲ କୁମାର ପ୍ରଧାନ ଓ ଚନ୍ଦ୍ରକାନ୍ତ ଜେନା । ପୋଲିସ ଏମାନଙ୍କଠାରୁ ଗୋଟିଏ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଜବତ କରିଛି । ଗତ ୨୬ ତାରିଖ ସନ୍ଧ୍ୟା ସମୟରେ ରେଡକ୍ରସ ରୋଡରେ ବିଜେଡି ନେତା ସୋମନାଥ ସାହୁ ତାଙ୍କ ଗୋଦାମ ଘରେ ବସିଥିବା ବେଳେ ଅଭିଯୁକ୍ତ ମାନେ ତାଙ୍କ ମୁଣ୍ଡକୁ ବନ୍ଧୁକରେ ଆକ୍ରମଣ ସହ କାଠ ଫାଳିଆରେ ପିଟି ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲେ । ତେବେ ଅଭିଯୁକ୍ତ ମାନେ ରାଜ୍ୟ ବାହାରକୁ ଯିବା ପାଇଁ ଯୋଜନା କରୁଥିବାବେଳେ କୁମ୍ଭାରପଡା ପୋଲିସ ସହ ସ୍ୱତନ୍ତ୍ର ଟିମ ସେମାନଙ୍କୁ ଅନୁଗୁଳରୁ ଗିରଫ କରିଥିଲେ । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ପୋଲିସ ରିମାଣ୍ଡରେ ନେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ଡଃ କନୱର ବିଶାଳ ସିଂ ଓ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ସେପଟେ ପୁରୀକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ବେଳେ ଗତ ଏକ ମାସ ମଧ୍ୟରେ ୬୦ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସିଟି ଡିଏସପି କହିଛନ୍ତି । ସହରରେ ଦିନକୁ ଦିନ ଅପରାଧ ବଢୁଥିବାରୁ ଅପରାଧୀଙ୍କ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛି ପୁରୀ ଜିଲ୍ଲା କଂଗ୍ରେସ ।