ଲଙ୍କାପୋଡି ଯାତ୍ରାର ୮ମ ଦିବସ ; ନାଗଫାସ ବନ୍ଧନ ଓ କୁମ୍ଭକର୍ଣ୍ଣ

ଦଶପଲ୍ଲା : ଲଙ୍କାପୋଡି ଯାତ୍ରାର କୁମ୍ଭକର୍ଣ୍ଣ ବଧ ପ୍ରସଙ୍ଗଟି ସବୁଠାରୁ ଆକର୍ଷଣୀୟ ଓ ସବୁଠାରୁ ସଂଘର୍ଷମୟ ଅଧ୍ୟାୟ । ଯୁଦ୍ଧ ଆରମ୍ଭ ପୂର୍ବରୁ ଶ୍ରୀ ରାମଚନ୍ଦ୍ର ଦୂତ ଭାବରେ ଚିଟାଉ ଦେଇ ଅଙ୍ଗଦଙ୍କୁ ରାବଣ ପାଖକୁ ପ୍ରେରଣ କରନ୍ତି । ମାତ୍ର ଲଙ୍କାପତି ରାବଣ ଭ୍ରୁକ୍ଷେପ କରେନାହିଁ । ଏଣୁ ଯୁବରାଜ ଅଙ୍ଗଦ ଲଙ୍କାର ଜଗତି ସହ ନେଇଆଶି ଶ୍ରୀରାମଙ୍କ ପାଖରେ ପହଁଚି ଯାଆନ୍ତି ଓ ଯୁଦ୍ଧ ଆରମ୍ଭ ହୁଏ । ଆଜିର ପ୍ରସଙ୍ଗରେ ବହୁ ଅସୁର ନିଧନ ହୁଅନ୍ତି । ଇନ୍ଦ୍ରଜିତ୍‌ ମଧ୍ୟ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ଅଚେତ କରିବା ସଂଗେ ସଂଗେ, ନାଗଫାସରେ ଶ୍ରୀରାମ, ଲକ୍ଷ୍ମଣଙ୍କୁ ବନ୍ଧନ କରନ୍ତି । ଏ ସମୟରେ ପୁସ୍ତକ ବିମାନରେ ବସିଥିବା ମା ସିତାଙ୍କ ଶୋକ ଅତିବ ହୃଦୟ ବିଦାରକ ଓ କେବଳ ଇନ୍ଦ୍ରଜିକୁ ଛାଡିଦେଲେ ରାବଣର ଧୂମମୟ, ଧୂମ୍ରାକ୍ଷ, ନାଭିଦତ୍ୟ ଭଳି ବଡ଼ ବଡ଼ ବୀର ମୃତ୍ୟୁ ମୁଖରେ ପଡୁନ୍ତି । ଏହିଠି ଦୁଇଟି ରୋଚକ ପ୍ରସଙ୍ଗ ରହିଅଛି । ରାବଣ ମୟାସୀତା ପ୍ରସ୍ତୁତ କରି ଶ୍ରୀରାମଙ୍କ ଆଗରେ ତାକୁ ନିଧନ କରେ ଓ ଶ୍ରୀରାମ ଶୋକରେ ଅଥୟ ହୋଇଯାନ୍ତି, ମାତ୍ର ପରେ ପରେ ବିଭିଷଣ ସତ୍ୟା ସତ୍ୟ କହିବା ପରେ ପୁନଶ୍ଚ ଲଢେଇ ଘୋମାଘଟ ହୁଏ ।

ଠିକ ସେହିପରି ରାବଣ ମାୟା ରାମ ଲକ୍ଷ୍ମଣର ମୁଣ୍ଡ ନେଇ ସୀତାଙ୍କୁ ଦେଖାନ୍ତି, ସୀତା ମଧ୍ୟ ଶୋକାକୂଳ ହେବା ବେଳେ ରାମଚନ୍ଦ୍ର ସେନା ଲଙ୍କା ଘେରାଉ କରିବାର ସମ୍ବାଦ, ବିଭିଷଣ ନନ୍ଦିନୀ, ତ୍ରିଜଟା ସତ୍ୟ କଥାଟା ସୀତା ଦେବୀଙ୍କ କୁହନ୍ତି ,ଏପରି କ୍ରମଶଃ ରାକ୍ଷସ ସେନା ଦୁର୍ବଳ ହେବାରୁ, ରାବଣ ନିର୍ଦ୍ଦେଶରେ କୁମ୍ଭକର୍ଣ୍ଣର ନିଦ୍ରାଭଙ୍ଗ କରାଯାଏ । ଅସମୟରେ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିବା ଏକ ଶୁଭ ଲକ୍ଷଣ ନୁହେଁ ତଥାପି ସେ ସମସ୍ତ କଥା ରାବଣ ଠାରୁ ଶୁଣିବା ପରେ ରାବଣର କାର୍ଯ୍ୟକୁ ନାପସନ୍ଦ କଲେ ମଧ୍ୟ ରାବଣ ପକ୍ଷ ତ୍ୟାଗ ନକରି ଯୁଦ୍ଧକୁ ଗମନ କରେ । ଯୁଦ୍ଧରେ ନଳ, ନୀଳ, ସୁଷେଣ ଆଦିକୁ ପରାସ୍ତ କରି ସୁବଳକୁ କାଖ ତଳେ ଚାପି ଲଙ୍କା ଫେରୁଥିବା ବେଳେ ସେ କୌଶଳ କ୍ରମେ ଖସି ଯାଇ କୁମ୍ଭକର୍ଣ୍ଣର କର୍ଣ୍ଣ ଓ ନାସା ଉପାଡି ଦେବା ଫଳରେ କ୍ରୋଧ ଜର୍ଜରୀତ କୁମ୍ଭକର୍ମ ଯୁଦ୍ଧକୁ ଆସି ବହୁ ସୈନ୍ୟଙ୍କୁ ନିଧନ କରିବା ପରେ ଶ୍ରୀରାମଚନ୍ଦ୍ରଙ୍କ ବାଣରେ ସ୍ୱର୍ଗ ପ୍ରାପ୍ତ ହୁଏ । ଆଜିର ପ୍ରସଙ୍ଗଟି ସବୁଠାରୁ ଆକର୍ଷଣୀୟ ଥିବାରୁ ବହୁ ଜନସମାବେଶ ହୋଇଥିଲା ଏବଂ କୁମ୍ବକର୍ଣ୍ଣର ଖାଦ୍ୟ ପେୟ ପ୍ରସଙ୍ଗଟି ଖୁବ ସୁନ୍ଦର ଭାବରେ ଉପସ୍ଥାପିତ ହୋଇଥିଲା ।

Comments (0)
Add Comment