ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପକୁ ନେଇ ଦଶପଲ୍ଲା ବ୍ଲକ ପୋଖରୀଗୋଛା ପଂଚାୟତ ଅନ୍ତର୍ଗତ ଉଦୁଡା ଗ୍ରାମବାସୀମାନେ ବିଦ୍ୟୁତ କାର୍ଯ୍ୟାଳୟ ଘେରିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗତ ଦୁଇମାସ ତଳୁ ଉଦୁଡା ଅଂଚଳରେ ଥିବା ଟ୍ରାନ୍ସଫର୍ମର ପୋଡି ଯାଇଥିବା ନେଇ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ଏହାପରେ ସେଠାରେ ଏକ ଟ୍ରାନ୍ସଫର୍ମର ଲଗାଯାଇଥିଲା । ହେଲେ ତାହା ମଧ୍ୟ ପରବର୍ତ୍ତୀ ସମୟରେ ଅଚଳ ହୋଇଯାଇଥିଲା । ତେବେ ଏନେଇ ଉଦୁଡା ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଆସୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କୌଣସି କଥା ନଶୁଣିବା ହେତୁ ଗ୍ରାମବାସୀମାନେ ଅନ୍ଧାରରେ ଦିନ କାଟୁଥିବା ଜଣାପଡିଛି । ତେବେ ଘଟଣା ବିଷୟରେ ଖବର ପାଇ ପୋଖରୀଗୋଛା ସମିତିସଭ୍ୟ ବାପୁଜୀ ସାହୁ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ବିଭାଗୀୟ ଯନ୍ତ୍ରୀ ୩ ଦିନ ମଧ୍ୟରେ ଟ୍ରାନ୍ସଫର୍ମର ଲଗାଇବା ପାଇଁ ପ୍ରତିଶ୍ରୃତି ଦେବା ପରେ ଗ୍ରାମବାସୀମାନେ ସେଠାରୁ ଉଠିଥିଲେ । ଯଦି ୩ ଦିନ ମଧ୍ୟରେ ଟ୍ରାନ୍ସଫର୍ମର ନଲାଗେ ତାହାଲେ ପୁଣିଥରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଉଦୁଡା ଗ୍ରାମବାସୀ । ତେବେ ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ଉଠାଇ ନଥିଲେ ।