ଫିଜିଓଥେରାପୀ(ଭୌତିକ) ଚିକିତ୍ସା ଶିବିର

ପୁରୀ: ରୋଟାରୀ କ୍ଲବ ଅଫ୍‌ ପୁରୀ ସାଗର ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ମାଗଣା ଫିଜିଓଥେରାପୀ(ଭୌତିକ ଚିକିତ୍ସା) ଶିବିରର ଉଦ୍‌ଘାଟିତ ହୋଇଯାଇଛି । ଏହି ତିନି ଦିନିଆ ଶିବିରକୁ ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କ୍ଲବର ସଭାପତି ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଭିତରଚ୍ଛ ଭବାନୀ ପ୍ରସାଦ ମହାପାତ୍ର, ସମ୍ପାଦକ ଅରୁଣ କୁମାର ଗଜେନ୍ଦ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ରୋଟାରିଆନ ଶ୍ୟାମ କାହ୍ନା ପଟ୍ଟନାୟକଙ୍କ ପରିଚାଳନାରେ ଜିଲ୍ଲାପାଳ ଶ୍ରୀ ବର୍ମା ଏଠାରେ ଅଭିଜ୍ଞ ଚିକିତ୍ସକ କୌଳାସ କୁମାର, ଅନୀଲ ଯାଦବ, ରୋହୀତ କୁମାର ଓ ହରପାଲ୍‌ ଚରଣ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କ୍ଲବର ଚାର୍ଟର ସଭାପତି ରୋଟାରିଆନ ଅଶୋକ ପାତ୍ରଙ୍କ ପରିଚାଳନାରେ ଅଭିଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଉପସ୍ଥିତ ରୋଗୀମାନଙ୍କର ଆଣ୍ଟୁ ବିନ୍ଧା, ବେକରେ ଯନ୍ତ୍ରଣା, ପାଦତଳ ଜ୍ୱଳନ ହେବା, ଅଣ୍ଟା ବିନ୍ଧା, ବେକରେ ଯନ୍ତ୍ରଣା, ହାତ ଉପରକୁ ଉଠାଇନହେବା, କହୁଣୀରେ ଯନ୍ତ୍ରଣା ଓ ସାଇଟିକା ଭଳି ଯନ୍ତ୍ରଣାର ସଫଳ ଉପଚାର କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରୋଟାରିଆନ ପ୍ରମୋଦ ସ୍ୱାଇଁଙ୍କ ସମେତ ଅନ୍ୟ ରୋଟାରିଆନମାନେ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ ଏହି ଶିବିର ଆସନ୍ତା ଦୁଇ ଦିନ ଧରି ପୂର୍ବାହ୍ନ ୯.୩୦ରୁ ଅପରାହ୍ନ ୧ଟା ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲୁ ରହିବ । ଇଚ୍ଛୁକ ରୋଗୀମାନେ ଏହି ସମୟରେ ଏଠାରେ ପହଞ୍ଚି ନିଶୁଳ୍କ ଚିକିତ୍ସା ସେବାର ସୁବିଧା ନେଇପାରିବେ ।

Comments (0)
Add Comment