ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ

ଭୁବନେଶ୍ୱର : ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ପରଲୋକ ହୋଇଯାଇଛି । ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ବୋଲି ବହୁ ବରିଷ୍ଠ ରାଜନେତା ଓ ମନ୍ତ୍ରୀ ସେମାନଙ୍କର ଶୋକବାର୍ତ୍ତାରେ କହିଛନ୍ତି ।
କିଛିଦିନ ପୂର୍ବରୁ ହେମାନନ୍ଦ ତାଙ୍କର ନିଜ ଗାଁ ଝାରସୁଗୁଡା ଜିଲ୍ଲାର ଠାକୁରପଡାକୁ ଯାଇଥିଲେ । ସେଠାରେ ସେ ପ୍ରାତଃ ଭ୍ରମଣ କରୁଥିଲା ବେଳେ ହଠାତ୍‌ ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ହେଁ ତାଙ୍କୁ ଜ୍ୱର ହୋଇଥିଲା ଓ ସେ ଅତ୍ୟନ୍ତ ଦୁର୍ବଳ ଅନୁଭବ କରିଥିଲେ । ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ହେମାନନ୍ଦ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ପରିବାର ପକ୍ଷରୁ ଜଣାପଡ଼ିଥିଲା ।
ଓଡିଶା ରାଜନୀତି, ବିଶେଷତଃ କଂଗ୍ରେସ ରାଜନୀତିରେ ସ୍ୱର୍ଗତ ହେମାନନ୍ଦଙ୍କର ଏକ ଲମ୍ବା କ୍ୟାରିୟର ରହିଥିଲା । ସ୍ୱର୍ଗତ ବିଶ୍ୱାଳ ଓଡିଶାରେ ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଦୁଇ ପର୍ଯ୍ୟାୟରେ ସେ ୮ ମାସ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ୧୯୩୯ ଡିସେମ୍ବର ୧ ତାରିଖରେ ଝାରସୁଗୁଡା ଜିଲ୍ଲାର ଠାକୁରପଡାରେ ଜନ୍ମିତ ହେମାନନ୍ଦ ପ୍ରଥମ ପର୍ଯ୍ୟାୟରେ ୧୯୮୯ ଡିସେମ୍ବର ୭ରୁ ୧୯୯୦ ମାର୍ଚ୍ଚ ୫ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ୧୯୯୯ ଡିସେମ୍ବର ୬ରୁ ୨୦୦୦ ମାର୍ଚ୍ଚ ୫ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଓଡିଶାରେ ସେ ହେଉଛନ୍ତି ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ । ୧୯୬୭ରେ ତାଙ୍କର ରାଜନୈତିକ କ୍ୟାରିୟରର ମୂଳଦୁଆ ପଡିଥିଲା । ୧୯୬୭ରୁ ୭୧ ପର୍ଯ୍ୟନ୍ତ ସେ କିରମିରା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିଲେ । ୧୯୭୪ରେ ସେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ ପର୍ଯ୍ୟନ୍ତ ସେ ବିଧାୟକ ପଦରେ ରହିଥିଲେ । ଏହାପରେ ୧୯୮୦ରୁ ୨୦୦୪ ପର୍ଯ୍ୟନ୍ତ ମଧ୍ୟ ବିଧାୟକ ଭାବେ କାର୍ଯ୍ୟ କରିଥିଲେ । ଏହାଛଡା ସେ ସଂସଦକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ୨୦୦୯ରେ ସୁନ୍ଦରଗଡରୁ ସେ ସଂସଦକୁ ନିର୍ବାଚିତ ହୋଇଥିଲେ । ୧୯୮୦ରେ ସେ ବିଧାନସଭା ପବ୍ଲିକ ଆକାଉଣ୍ଟ କମିଟି, ୧୯୮୨-୮୩ରେ ପବ୍ଲିକ ଅଣ୍ଡରଟେକିଂ କମିଟି ଚେୟାରମ୍ୟାନ, ୧୯୮୪-୮୫ରେ ଆମେନିଟିଜ୍‌ କମିଟି ସଦସ୍ୟ, ୧୯୮୫ରୁ ୧୯୮୬ ପର୍ଯ୍ୟନ୍ତ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଦୁଲାଇଥିଲେ । ଏହାଛଡା ୧୯୮୯-୯୦ରେ ସେ ବିଧାନସଭାର ନେତା ଥିଲେ । ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
ରାଜନୀତି ଛଡା କଳା, ସାହିତ୍ୟ, ସଂସ୍କୃତି ପ୍ରତି ତାଙ୍କର ବିଶେଷ ରୁଚି ରହିଥିଲା । ସେ ବହୁ ସାହିତ୍ୟ, କଳା ଓ ଅନ୍ୟନ୍ୟ ସଂଗଠନ ସହ ଜଡିତ ଥିଲେ । ପଶ୍ଚିମଓଡିଶାରେ ଆଦିବାସୀ କଳା ଓ ସଂସ୍କୃତିର ପୁନରୁଦ୍ଧାର ତଥା ପୁନଃ ପ୍ରତିଷ୍ଠା ଦିଗରେ ତାଙ୍କରେ ଉଲ୍ଲେଖନୀୟ ଅବଦାନ ରହିଥିଲା । ଭୁବନେଶ୍ୱର ସ୍ଥିତ ଧଉଳୀ କଲେଜ ଅଫ୍‌ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସ୍‌ର ପ୍ରତିଷ୍ଠାତା ସଭାପତି ଥିଲେ । ତାଙ୍କ ପିତା ଓ ମାତାଙ୍କ ନାମ ଯଥାକ୍ରମେ ବାସୁଦେବ ବିଶ୍ୱାଳ ଓ ତ୍ରିମଣି ବିଶ୍ୱାଳ । ସେ ଉର୍ମିଳା ବିଶ୍ୱାଳଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୫ଟି ଝିଅ । ହେମାନନ୍ଦ ସୁନ୍ଦରଗଡ ସରକାରୀ କଲେଜରୁ ଇଣ୍ଟରମିଡିଏଟ ପାସ କରିଛନ୍ତି । ପିଲାଦିନୁ ଅଭିନୟ ପ୍ରତି ତାଙ୍କର ଆକର୍ଷଣ ରହିଥିଲା । ସେ ଏକାଧିକ ବାର ସ୍କୁଲ ଓ କଲେଜ ସମୟରେ ବିଭିନ୍ନ ନାଟକରେ ଅଭିନୟ କରି ବେଶ ଚର୍ଚ୍ଚାରେ ଥିଲେ ।

Comments (0)
Add Comment