ଦଶପଲ୍ଲା : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିବାବେଳେ, ବୋଝ ଉପରେ ନଳିତା ବିଡା ଲଦିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମରେ । ଆଜକୁ ଏକ ସପ୍ତାହ ଧରି ଟାକରା ଗ୍ରାମକୁ ଯୋଗାଣ ହୋଇପାରୁନାହିଁ ପାନୀୟଜଳ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗ୍ରାମରେ ଥିବା ନଳକୂପ ଗୁଡ଼ିକର ଜଳସ୍ତର ନିମ୍ନଗାମୀ ହୋଇଥିବାବେଳେ, ଦଶ କୋଡିଏ ବାଲଟି ପାଣି ବାହାରିଲା ପରେ ନଳକୂପ ଗୁଡିକ ଶୁଖି ଯାଉଛି । ସେଥିଯୋଗୁଁ ନାହିଁ ନ ଥିବା ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ଟାକରା ଗ୍ରାମବାସୀ । ତେଣୁ ବାଧ୍ୟହୋଇ ନିକଟସ୍ଥ ବୃତ୍ତଂଗ ନଦୀ ଉପରେ ଭରଷା କରିବାକୁ ବାଧ୍ୟ ହେଉଛନ୍ତି ଟାକରା ଗ୍ରାମବାସୀ ।
ପ୍ରାପ୍ତ ସୂଚନା ଅନୁସାରେ ଟାକରା ଡାକ୍ତରଖାନା ନିକଟରେ ଥିବା ଜଳଯୋଗାଣ ପ୍ରକଳ୍ପ ରୁ ଟାକରା ଗ୍ରାମପଂଚାୟତର, ଟାକରା, ଗୋପାଳପୁର, ରଥିପୁର ପ୍ରଭୃତି ଗ୍ରାମକୁ ପ୍ରତିଦିନ ଧାର୍ଯ୍ୟ ସମୟରେ ପାନୀୟଜଳ ଯୋଗାଣ ହୋଇଥାଏ । କିନ୍ତୁ ଗତ ଏକ ସପ୍ତାହ ଧରି ଟାକରା ଗ୍ରାମକୁ ସଂଯୋଗ କରୁଥିବା ଲୁହାନଳର ମରାମତି କାର୍ଯ୍ୟ ମନମୂଖୀ ଭାବରେ ଚାଲିଥିବାରୁ ଗ୍ରାମବାସୀମାନେ, ମୁନ୍ଦାଏ ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ମାତ୍ର ୨୦୦ ମିଟର କାର୍ଯ୍ୟ କରିବାକୁ ଅତିବେସିରେ ୨/ ୩ ଦିନ ଲାଗିବା କଥା କିନ୍ତୁ ବିଭାଗୀୟ କର୍ମଚାରୀ ମାନେ ତାଙ୍କ ମନ ଇଚ୍ଛାରେ, ହଲିଦୋହଲି କାମ କରୁଥିବା ଯୋଗୁଁ ଆଜକୁ ସାତଦିନ ଧରି କାର୍ଯ୍ୟ ଶେଷହୋଇପାରୁପାହିଁ । ଫଳତଃ ଗ୍ରାମବାସୀମାନେ ମୁନ୍ଦାଏ ପାନୀୟଜଳ ପାଇଁ ଡ଼ହଳବିକଳ ହେଉଛନ୍ତି । ମରାମତି କାର୍ଯ୍ୟ ଶୀଘ୍ରାତିଶିଘ୍ର ଶେଷକରି ଗ୍ରାମକୁ ପାନୀୟଜଳ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦୃଢ଼ ଦାବୀ କରିଛନ୍ତି ।