ପୁରୀ : ଗୋପରେ ମାଟି ତଳେ ରହିଛି ପେଟ୍ରୋଲ ଓ ଗ୍ୟାସ

ପୁରୀ : ପୁରୀ ଜିଲ୍ଲା ଗୋପରେ ମାଟି ତଳେ ରହିଛି ପେଟ୍ରୋଲ ଓ ଗ୍ୟାସ୍‌ । ଭାରତ ସରକାରଙ୍କ ରାଷ୍ଟ୍ରୟତ ଉଦ୍ୟୋଗ ଓଏନଜିସି ଏହାର ସନ୍ଧାନ ପାଇଚି । ଦୀର୍ଘ ଦିନର ସର୍ଭେ ପରେ ଏହି ତଥ୍ୟ ମିଳିଛି । ତେବେ କେତେ ପରିମାଣରେ ତେଲ ଗଚ୍ଛିତ ରହିଛି , ତୈଳ ଉତ୍ତୋଳନ ହେଲେ ବ୍ୟୟ ଅନୁଯାୟୀ ବ୍ୟବସାୟିକ ଲାଭ ହେବ କି ନାହିଁ ସେ ନେଇ ଓଏନଜିସି ସର୍ଭେ କରିବ । ସେଥିପାଇଁ ପୁରୀ ଜିଲ୍ଲା ଗୋପ ବ୍ଳକର କୁସୁପୁର, ଚିତ୍ରା ଗ୍ରାମରେ ୮ ଏକର ଜମି ନେଇଥିବା ବେଳେ ଏନେଇ ଓଏନଜିସି କାର୍ଯ୍ୟ ଚାଲୁ ରହିଛି । ରାଜ୍ୟ ସରକାରଙ୍କ ସହଯୋଗ ଏହି କାର୍ଯ୍ୟ ଚାଲିଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରୁଛି । ତେବେ ଗୋପ ଅଞ୍ଚଳରେ ମାଟି ତଳେ ତୈଳ ଓ ଗ୍ୟାସ ଥିବା ଜଣାପଡିବା ପରେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଯଦି ଅଗାମୀ ଦିନରେ ଓଏନଜିସି ପକ୍ଷରୁ ଏଠାରେ ତୈଳ ଉତ୍ତୋଳନ କରାଯାଏ, ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଅର୍ଥନୈତିକ ଉନ୍ନତି ହେବ ବୋଲି ସମସ୍ତେ ଆଶା ରଖିଛନ୍ତି । ବିଶେଷ ନିଯୁକ୍ତି ସୁଯୋଗ ମିଳିଲେ ଅନେକ ଯୁବକ ରୋଜଗାରକ୍ଷମ ହୋଇ ପାରିବେ ବୋଲି ଆଶା କରାଯାଉଛି । ଏଣୁ ଏହି ପ୍ରକଳ୍ପକୁ ଗୋପବାସୀ ସ୍ୱାଗତ କରିଛନ୍ତି । ସେପଟେ ପୁରୀ ଜିଲାପାଳ କହିଛନ୍ତି ଓଏନଜିସିର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ କରୁଛି । ଏହି ପ୍ରକଳ୍ପ ପାଇଁ ଯେଉଁ ଚାଷ ଜମି ଅଧିଗ୍ରହଣ ହେବ ତାହାର ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି ।

Comments (0)
Add Comment