ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍‌

ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍‌। ନୋ ଫ୍ଲାଇଂ ଜୋନ୍ ରେ ଉଡିଲା ଡ୍ରୋନ୍‌। ଅଧଘଣ୍ଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ଚାରିପଟେ ଉଡିଲା ଡ୍ରୋନ୍‌ । କିଏ ଏବଂ କାହିଁକି ଡ୍ରୋନ୍‌ ଉଡାଇଲା ତା’କୁ ନେଇ ଉଠିଛି ପ୍ରଶ୍ନ । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡିଛି ଡ୍ରୋନ୍ । ହେଲେ ଡ୍ରୋନ୍ ଉଡାଣ ଉପରେ ରୋକ୍ ଲଗାଇବେ ରେ କୌଣସି ସ୍ୱତନ୍ତ୍ର ପଦକ୍ଷେପ ପୋଲିସ୍ ପକ୍ଷରୁ ନିଆଯାଉନାହିଁ । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଏଭଳି ତ୍ରୁଟି କୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଚି ।
ପୁଣି ପଦା ପଡ଼ିଚି ଶ୍ରୀମନ୍ଦିର ର ଢିଲା ସୁରକ୍ଷା ବ୍ୟବସ୍ଥା । କିଛି ମାସ ତଳେ ଜଣେ ଯୁବକ ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିର ଉପରୁ ଅତି ନିକଟରୁ ଭିଡ଼ିଓ ଉତୋଳନ କରିଥିଲେ । ଏହାକୁ ସେ ନିଜ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ । ତେବେ ଏହି ଘଟଣା ଜଣା ପଡ଼ିବା ପରେ ଭକ୍ତ ମହଲରେ ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଶ୍ରୀମନ୍ଦିର ଭଳି ଏକ ସମ୍ବେଦନସ୍ଥଳ ସ୍ଥାନରେ ଭିଡ଼ିଓ ଉତ୍ତୋଳନ ନିଷିଦ୍ଧ ଥିବା ବେଳେ କେମିତି ଜଣେ ଯୁବକ ଡ୍ରୋନ୍ ଉଡ଼ାଇ ଭିଡ଼ିଓ ନେଲେ, ତାହା ପୁଣି ପୁରୀ ପୋଲିସ ଜାଣି ପାରିଲା ନାହିଁ ସେ ନେଇ ସାଧାରଣ ରେ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣା ରୁ ପ୍ରମାଣିତ ହୋଇଯାଇଛି ଯେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା । ଶ୍ରୀମନ୍ଦିରର ସୁରକ୍ଷା ପାଇଁ କୋଟି କୋଟି ଟଂକା ଖର୍ଚ୍ଚ ହେଉଥିବା ବେଳେ, ମାଳ ମାଳ ପୋଲିସ୍ ସୁରକ୍ଷା ରେ ଥିବା ବେଳେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଯାଉଥିବା ବେଳେ ଶ୍ରୀମନ୍ଦିର ଉପରେ ଅନାୟାସ ରେ ଡ୍ରୋନ୍ ଉଡୁଛି । ହେଲେ ଦୁର୍ଭାଗ୍ୟ ର ବିଷୟ ଏହାର ଟେର ପାଇ ପାରୁନାହିଁ ପୋଲିସ୍ । ଯଦି ଡ୍ରୋନ୍ ମାଧ୍ୟମ ରେ କେହି ଜଦି କିଛି ବିସ୍ଫୋରକ ସାମଗ୍ରୀ ନେଇ ଶ୍ରୀମନ୍ଦିର ଉପରେ ଏବଂ ଭକ୍ତଙ୍କ ଉପରେ ଆକ୍ରମଣ କରି କିଛି ଅଘଟଣ ଘଟାଏ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଭଳି ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ରାଜ୍ୟ ସରକାର ନ ନେବା ଦୁର୍ଭାଗ୍ୟ ର ବିଷୟ ବୋଲି ଭକ୍ତ କହିଚନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରେ ହଜାର ହଜାର କୋଟି ଟଂକା ସରକାର ଖର୍ଚ୍ଚ କରିଥିବା ବେଳେ ଶ୍ରୀ ମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷା ଦିଗ ରେ ସରକାର ଗୁରୁତ୍ୱ ନ ଦେବା ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି କରିଚି । ତୁରନ୍ତ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବୀ ହେଇଛି । ଗତ ୨୦୨୩ ମସିହାରେ ଜଣେ ୟୁଟ୍ୟୁବର ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଭିଡ଼ିଓ ନେଇଥିଲେ । ଏହାକୁ ନେଇ ବିରୋଧ ହେବା ପରେ ଉକ୍ତ ୟୁଟ୍ୟୁବର ବିରୋଧ ରେ ପୋଲିସ୍ ମାମଲା ରୁଜୁ କରି ଗିରଫ କରିଥିଲା । ଶ୍ରୀମନ୍ଦିର ରେଡ ଜୋନ୍ ଆସିଥିବାରୁ ଏହା ଉପରେ ଡ୍ରୋନ ଉଡ଼ାଇବା ନେଇ କଟକଣା ରହିଚି ।
ପୁରୀ ଏସପି ବିନିତ ଅଗ୍ରୱାଲ କହିଛନ୍ତି, ଶ୍ରୀମନ୍ଦିର ଉପରେ ଆଜି ଡ୍ରୋନ ଉଡ଼ିବା ନେଇ ପୋଲିସ୍ କୁ ଖବର ଆସିଥିଲା । ଘଟଣାର ତଦନ୍ତ ଜାରି ରହିଛି । ଦୁଇଟି ଟିମ ଏଥି ପାଇଁ ଗଠନ କରାଯାଇ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଚି । ଆମେ ଖୁବ୍ ଶୀଘ୍ର ଉକ୍ତ ବ୍ୟକ୍ତିକୁ ଧରିବୁ ଓ ଆଇନଗତ କାର୍ଯ୍ୟନୁଷ୍ଠାନ ନେବୁ । ତେବେ ଶ୍ରୀମନ୍ଦିର ଚାରି ପାଖରେ ୱାଚ ଟାୱାର କରାଯାଇ ପୋଲିସ ମୁତୟନ କରାଯିବ । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ।

Comments (0)
Add Comment