ପାନୀୟ ଜଳ ପାଇଁ ଦାବି ଉପସ୍ଥାପନ କଲେ ଗ୍ରାମବାସୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମ ପଞ୍ଚାୟତର ବଣ ପାହାଡ ଘେରା ଦଳିତ ଓ ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁସୁମଗାଡିଆ । ୫୦ ଟି ପରିବାର ବାସ କରୁଥିବା ଏହି ଗାଁରେ ପୋଖରୀ ଆଡିବନ୍ଧ କେନାଲ ଇତ୍ୟାଦି କିଛି ବି ନଥିବାବେଳେ ଗ୍ରାମବାସୀମାନେ ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଗୋଟିଏ ମାତ୍ର ନଲକୂଅ ଉପରେ ନିର୍ଭର କରନ୍ତି । କିନ୍ତୁ ଏହି ପାଣିରେ ଫ୍ଲୋରାଇଡ୍‌ ବାହାରୁଥିବା ଯୋଗୁଁ ଏ ପାଣି ବ୍ୟବହାର କରି ଅନେକ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନାହିଁ । ଗାଁ ଗାଁ ରେ କର୍ମ ନିଯୁକ୍ତି, ଚାଷୀ ଓ ଚାଷ ପାଇଁ ଜଳସେଚନ , ପରିମଳ ସମେତ ସ୍ୱଚ୍ଛ ପାନୀୟ ଜଳର କୌଣସି ସୁବିଧା ନଥିବାରୁ ଏହାର ସୁବନ୍ଦୋବସ୍ତ ପାଇଁ ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ଲୋକ ସଂଗଠନ “ମାଟି ମା ମହିଳା ମୋର୍ଚ୍ଚା’ର ସଦସ୍ୟ ଭାଗବତ ଜାନୀଙ୍କ ନେତୃତ୍ୱରେ ସମସ୍ୟା ଗୁଡିକର ଶୀଘ୍ରାତିଶୀଘ୍ର ସମାଧାନ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି ।

Comments (0)
Add Comment