ପେଟ୍ରୋଲ ଦରହ୍ରାସକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିକ୍ରେତା ସଂଘ

ସମ୍ବଲପୁର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ପାଦନ ଶୁକ୍ଳହ୍ରାସ ଫଳରେ ପେଟ୍ରୋଲ ଓ ଡିଜେଲ ଉଭୟଙ୍କ ଖାଉଟି ମୂଲ୍ୟ ହ୍ରାସ ପାଇଛି, ଏହାକୁ ନେଇ ଜନସାଧାରଣ ଖୁସି ଜଣାଇଛନ୍ତି କିନ୍ତୁ ଏହା ଉପରେ ପେଟ୍ରୋଲିୟମ ବିକ୍ରେତା ସଂଘ ନିଜ ଅସନ୍ତୋଷ ଜଣାଇଛନ୍ତି । ଏ ବିଷୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରାଯାଇଛି । ସଂଘ ପକ୍ଷରୁ କହିବା ଅନୁସାରେ ପେଟ୍ରୋଲ ଓ ଡିଜେଲ ଦରହ୍ରାସକୁ ସେମାନେ ସ୍ୱାଗତ କରୁଛନ୍ତି କିନ୍ତୁ ଏକାଥରକେ ଏପରି ହଠାତ୍‌ ଦରହ୍ରାସ ଫଳରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ପ୍ରତିଦିନ ଅଳ୍ପ ପରିମାଣରେ ଦରହ୍ରାସ କିମ୍ବା ବୃଦ୍ଧି ହେଉଥିଲା ଓ ଏଥିରେ ଯାହା କିଛି ଲାଭ କି କ୍ଷତି ହେଉଥିଲା ସେଥିରେ ତାଙ୍କ କୌଣସି ଅସୁବିଧା ନ ଥିଲା, ଏଥର କିନ୍ତୁ ଏକାଥରକେ ଏତେ ବେଶୀ ଦରହ୍ରାସ ସେମାନଙ୍କ ପାଇଁ କାଳ ହୋଇଛି । ଉଦାହରଣ ସ୍ୱରୂପ ଜଣେ ମିଲରଙ୍କ ପାଖରେ ସେଦିନ ପ୍ରାୟ ୨.୫ ଲକ୍ଷ ଲିଟର ପେଟ୍ରୋଲ ଗଚ୍ଛିତ ରହିଥିବାରୁ ତାଙ୍କର ହଠାତ୍‌ ୨୫ ଲକ୍ଷ ଟଙ୍କା କ୍ଷତି ହୋଇଛି ତଥା ପ୍ରାୟ ପ୍ରତ୍ୟେକ ଡିଲର ୨ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହା ପୂର୍ବରୁ ୩ ନଭେମ୍ବର ୨୦୨୧ ଦିନ ସରକାର ଦିପାବଳୀ ଉପହାର ନାଁ ‘ରେ ତାଙ୍କୁ ଏହିପରି ଏକ ବଡ଼ ଝଟକା ଦେଇଥିଲେ ଓ ଡିଲର ସଂଘ ସେତେବେଳେ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ । ଆଗାମୀ ୨୬ ତାରିଖ ଦିନ ଦିଲ୍ଲୀରେ ପେଟ୍ରୋଲ ବିକ୍ରେତା ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ଠାରେ ଏ ବିଷୟରେ ଆପତ୍ତି ଓ ବିରୋଧ କରାଯିବ ବୋଲି ଆଜି ସୂଚନା ଦିଆଯାଇଛି । ଏହା ବ୍ୟତୀତ ଏହି ବ୍ୟାପାରରେ ଲାଭାଂଶ ସ୍ୱଳ୍ପ ଥିବାରୁ ଏହାକୁ ବୃଦ୍ଧି କରି ୫ ପ୍ରତିଶତ କରାଯାଉ ବୋଲି ଦାବୀ କରିଥିଲେ । ପୁଣି ପେଟ୍ରୋଲ ବିକ୍ରେତା ସଂଘ ପକ୍ଷରୁ ଏହି ବିଷୟରେ ବିରୋଧ ପ୍ରଦର୍ଶନ ପୂର୍ବକ ଆଗାମୀ ୨୬ ଓ ୨୭ ଦୁଇ ଦିନ ସମଗ୍ର ଦେଶରେ ପେଟ୍ରୋଲ ପମ୍ପସବୁ ବନ୍ଦ ରଖାଯିବ ବୋଲି ମଧ୍ୟ ଜଣାପଡିଛି ।

Comments (0)
Add Comment